ଏବେ ରାଜ୍ୟ ଅଗ୍ନିଶମ ବିଭାଗରେ ମିଳିବ ମହିଳାଙ୍କୁ ନିଯୁକ୍ତି !

ଭୁବନେଶ୍ବର : ପ୍ରଥମ ଥର ଲାଗି ମହିଳାଙ୍କୁ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିପାରେ। ଅପରେସନାଲ ଡ୍ୟୁଟିରେ ମହିଳାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟ ଗୃହ ବିଭାଗକୁ ହୋମ୍‌ଗାର୍ଡ ଓ ସିଭିଲ୍ ଡିଫେନ୍ସ ଡିଜି ବି. କେ. ଶର୍ମା ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ କାର୍ୟ୍ୟକାରୀ କରିବାକୁ ହେଲେ ୮୨ବର୍ଷ ଧରି ଚଳି ଆସିଥିବା ଓଡ଼ିଶା ଫାୟାର ସର୍ଭିସ୍ ନିଯୁକ୍ତି ନିୟମ-୧୯୩୬ରେ ସଂଶୋଧନ କରିବାକୁ ପଡ଼ିବ।

ଅଗ୍ନିଶମ ବିଭାଗରେ ମହିଳାଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଗୃହ ମନ୍ତ୍ରାଳୟ ପଠାଇବ। ରାଜ୍ୟ ଅଗ୍ନିସେବା ନିଯୁକ୍ତି ନିୟମ-୧୯୩୬ ଅନୁସାରେ, ମହିଳାଙ୍କୁ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ଭାବରେ ନିଯୁକ୍ତି ଦେବାରେ ପ୍ରତିବନ୍ଧକ ରହିଛି। ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଡିଜିଙ୍କ ସୁପାରିଶ ପରେ ଏହି କ୍ଷେତ୍ରରେ ମଧ୍ୟ ମହିଳାମାନେ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇପାରେ।

ଏବେ ରାଜ୍ୟ ଅଗ୍ନିଶମ ବିଭାଗରେ ୫ ହଜାର ୭ଶହ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ୫ଶହ ମହିଳା, ଯେଉଁମାନେ କେବଳ ପ୍ରଶାସନିକ ବିଭାଗରେ କାମ କରୁଛନ୍ତି। ଅପରେସନାଲ କାମରେ ମହିଳାଙ୍କୁ ନିଯୁକ୍ତି ଦିଆଯାଉନାହିଁ। ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଡିଜି ବି.କେ. ଶର୍ମାଙ୍କ ପ୍ରସ୍ତାବ କାର୍ୟ୍ୟକାରୀ ହେଲେ ମହିଳାମାନେ ଏହି ସୁଯୋଗ ପାଇବେ। ଏବେ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଓ ଦିଲ୍ଲୀ ଭଳି ରାଜ୍ୟରେ ମହିଳାମାନେ ଅଗ୍ନିଶମ ଅଧିକାରୀ ଭାବରେ କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.