Below header

ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ବିନୀ: ସ୍ବାମୀ ଠାରୁ ହକ ପାଇଁ ଦୋକାନ ଦୁଆରେ ଧାରଣାରେ ବସିଛନ୍ତି ଡଲି

ଯାଜପୁର(କେନ୍ୟୁଜ୍):  ନ୍ୟାୟ ପାଇଁ ଦୋକାନ ସମ୍ମୁଖରେ ମହିଳାଙ୍କ ଧାରଣା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ବିବାହିତା ମହିଳା ନିଜର ହକ ପାଇବା ପାଇଁ ସ୍ୱାମୀଙ୍କ ଦୋକାନ ସମ୍ମୁଖରେ ଧାରଣାରେ ବସି ରହିବା ଘଟଣା ସମଗ୍ର ଜାରକା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସୂଚନା ମୁତାବକ ବରୀ ବ୍ଲକ ବାଇଁଶିରିଆ ପଂଚାୟତ ମାଳଦା ଗ୍ରାମର ସ୍ୱର୍ଗତ ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ଗତ ୧୨/୩/୨୦୨୦ ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କ ସହିତ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ବିବାହର ୪ ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ତ୍ରୀ ନିଜ ବାପ ଘରେ ବିଧବା ମାଆଙ୍କ ସହିତ ରହୁଛନ୍ତି ।

 dali

ଅନ୍ୟପଟେ ମହିଳା ଜଣକ ଭରଣପୋଷଣ ଦାବି କରୁଥିଲେ ମଧ୍ୟ ସ୍ୱାମୀ ଭରଣ ପୋଷଣ ଦେବାକୁ ଆରାଜି ହେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମାମାଲା କୋର୍ଟରେ ମଧ୍ୟ ପହଂଚିଛି । ଏବେ ତାଙ୍କ ସ୍ୱାମୀ ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଡଲିସ୍ମିତା ନ୍ୟାୟ ପାଇବା ପାଇଁ ଆଜି ଜାରକା ବଜାରରେ ପହଁଚି ସ୍ୱାମୀଙ୍କ ଲୁଗା ଦୋକାନ ସମ୍ମୁଖରେ ମାଆଙ୍କ ସହିତ ଧାରଣାରେ ବସିଥିଲେ । ନ୍ୟାୟ ନପାଇବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ସଦଳବଳ ସେଠାରେ ପହଂଚି ମହିଳା ଜଣଙ୍କୁ ବୁଝାସୁଝା କରି ଥାନାକୁ ଆଣିଥିଲେ । ତେବେ ସଂଧ୍ୟା ପର୍ଯ୍ୟନ୍ତ ମହିଳା ଜଣକ ଧାରଣାରେ ବସି ରହିବି ବୋଲି ଥାନାରେ ଜିଦ୍ ଧରି ବସି ରହିଥିଲେ ।

ପରେ ପୋଲିସ ବୁଝାସୁଝା କରିବା ପରେ ମହିଳା ଜଣକ ନ୍ୟାୟ ପ୍ରଦାନ ଦାବି କରି ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିବାହ ବିଛେଦ ନେଇ କୋର୍ଟରେ କେଶ ଚାଲିଥିବା ବେଳେ ମହିଳା ଜଣକ ଆଜି ଆସି ଦୋକନରେ ବସି ଗାଳିଗୁଲଜ କରୁଥିବା ନେଇ ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡଭାଇ ଅଭିଯୋଗ କରିଛନ୍ତି । ତେବେ ମହିଳା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.