କିଟ୍ ଟିବିଆଇ ସହଯୋଗରେ ଏମଟିଆଇ ହବ୍ ପ୍ରତିଷ୍ଠା: ଟେକ୍ନୋଲୋଜି ଇନ୍କ୍ୟୁବେସନ୍ ହବ୍ ପ୍ରତିଷ୍ଠା କରିବେ ମଣିପୁର ସରକାର

ଭୁବନେଶ୍ବର(କେନ୍ୟୁଜ୍):କିଟ୍ ବିଜିନେସ୍ ଇନ୍କ୍ୟୁବେଟର୍ (କିଟ୍ ଟିବିଆଇ) ସହଯୋଗରେ ପିପିପି ମୋଡରେ ମଣିପୁର ସରକାର ଏକ ଟେକ୍ନୋଲୋଜି ଇନ୍କ୍ୟୁବେସନ୍ ହବ୍ (ଏମ୍ଟିଆଇ-ହବ୍) ପ୍ରତିଷ୍ଠା କରିବେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଉପସ୍ଥିତିରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭର୍ଚୁଆଲରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏ ନେଇ ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଓ କିଟ୍ ଟିବିଆଇ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା । ମଣିପୁରର ଲୋଙ୍କକୁ ଶିଳ୍ପ ଉଦ୍ୟୋଗ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟରେ ମଣିପୁର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶକ ନମ୍ବମ୍ ଦେବନ ଓ କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର ଏହି ବୁଝାମଣାରେ ସ୍ୱାକ୍ଷର କରିଥିଲେ । ବୁଝାମଣା ଅନୁସାରେ ମଣିପୁର ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ଯୋଗାଇ ଦେବେ । ସୂଚନାଯୋଗ୍ୟ, କିଟ୍ ଟିବିଆଇ ଭାରତର ଏକ ପ୍ରମୁଖ ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟର୍ ଭାବେ ପରିଗଣିତ ହେଉଛି । ଏହା ସେଣ୍ଟର ଅଫ୍ ଏକ୍ସଲେନ୍ସର ମାନ୍ୟତା ପାଇଥିବା ବେଳେ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବହୁ ଯୁବ ଉଦ୍ୟୋଗୀଙ୍କୁ ଉଦ୍ୟୋଗ ସ୍ଥାପନା ଦିଗରେ ସହଯୋଗ ଯୋଗାଇ ଦେଇ ଆସୁଛି । ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିଟ୍ ଟିବିଆଇ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।