ଘଟଗାଁ: ଘର କାମ ନକରିବାରୁ ରାଜମିସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡି ଗ୍ରାମରେ ଘର କାମ ନକରିବାରୁ ୨ଜଣ ରାଜମିସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖବର ଅନୁଯାୟୀ ଜାମୁଯୋଡି ଗ୍ରାମର ଏସ୍ କେ ନାସିରଙ୍କ ଘର ନିର୍ମାଣ କାମ କରିବା ପାଇଁ ମୁରସିଦାବାଦରୁ ଦୁଇ ରାଜମିସ୍ତ୍ରୀ ସରିର୍ ନାଗ୍ (୨୭) ଓ ଏମଡି ଆଦୁଦ୍ ସେକ୍ (୨୫) ୨୦ ଦିନ ହେବ ଆସିଥିଲେ । ସେଠାରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଗ୍ରାମର ରୋସ୍ତମ ଖାନ ନାମକ ଜଣେ ଯୁବକ ନିଜ ଘର ନିର୍ମାଣ କାମ କରିବା ଲାଗି ରାଜମିସ୍ତ୍ରୀଙ୍କୁ କହିଥିଲେ । ରାଜମିସ୍ତ୍ରୀମାନେ କହିଥିଲେ କି ନାସିରଙ୍କ ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ତୁମ ଘର କାମ ଆରମ୍ଭ କରିବୁ । ହେଲେ ଆଜି ସକାଳେ ଦୁଇ ରାଜମିସ୍ତ୍ରୀ କୌଣସି କାମରେ ହରିଚନ୍ଦନପୁର ଆସୁଥିବା ବେଳେ ରୋସ୍ତମ ନୂଆଗାଁ ଛକ ନିକଟରେ ସେମାନଙ୍କୁ ଅଟକାଇ ମାଡ ମାରି ରକ୍ତାକ୍ତ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ସାଙ୍ଗରେ ଥିବା ଲୋକମାନେ ରାଜମିସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସରିରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.