ସାମ୍ବାଦିକଙ୍କୁ ବେଆଇନ ଭାବେ ଗିରଫ କରାଯିବା ଘଟଣା: ଯାଜପୁରର କାର୍ଯ୍ୟରତ ସାମ୍ବାଦିକ ସମୂହର ଏସପି ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଦିପକ୍ କୁମାର ଭଟ୍ଟାଚାର୍ଯ୍ୟଙ୍କୁ ସୁକିନ୍ଦା ବିଡିଓଙ୍କ ମିଥ୍ୟା ଜାତିଆଣ ମକଦମା ଅନୁଯାୟୀ ଗିରଫ ପ୍ରତିବାଦରେ ପାଣିକୋଇଲି ସ୍ଥିତ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ଆଜି ଶତାଧିକ ସାମ୍ବାଦିକ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦେଇଥିଲେ। ସୂଚନା ମୁତାବକ ସୁକିନ୍ଦା ବ୍ଳକ ପରିସରରେ ଏକ କୋଠାଘରକୁ ଟେକ୍ନିକାଲ କମିଟି ଦ୍ବାରା ଅସୁରକ୍ଷିତ ଘୋଷଣା କରିବା ପୁର୍ବରୁ ବିଡିଓ ମହାଶୟ ଭାଙ୍ଗି ଦେଇଥିଲେ ।

ସେହି ଘରେ ଥିବା ବହୁ ମୂଲ୍ୟବାନ ସମାଗ୍ରୀ ଗୁଡିକ ଘର ଭଙ୍ଗା ପରେ ଚୋରି ହୋଇ ଯାଇଥିଲା । ଜଣେ କାର୍ଯ୍ୟରତ ସାମ୍ବାଦିକ ଭାବେ ଦିପକ ସୁକିନ୍ଦା ବିଡିଓଙ୍କୁ ଏ ସଂପର୍କରେ ପ୍ରଶ୍ନ ପଚାରିଥିଲେ । ମାତ୍ର ଏହାକୁ ନେଇ ବିଡିଓ ମହାଶୟ ଦିପକଙ୍କ ଉପରେ ମଥ୍ୟା ଜାତିଆଣ ଅଭିଯୋଗ ଆଣିଥିଲେ। ସୁକିନ୍ଦା ପୁଲିସ ଘଟଣାର ବିଧିବଦ୍ଧ ତଦନ୍ତ ନକରି ଦିପକଙ୍କୁ ପାଣିକୋଇଲି ପୁଲିସ ସହାୟତାରେ ରାତି ଅଧିଆ ପାଣିକୋଇଲରୁ ଗିରଫ କରିଥିଲା।

ଘଟଣା ଦିନ ସୁକିନ୍ଦା ବିଡିଓ କାର୍ଯ୍ୟରତ ସାମ୍ବାଦିକ ଦିପକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଏବଂ ମଥ୍ୟା ମାମଲାରେ କୋର୍ଟ ଚାଲଣ କରିବା ସହିତ ଧମକ ଦେବା ଓ ଚୋରୀ କରିବା ସମ୍ପର୍କରେ ଦୀପକଙ୍କ ପତ୍ନୀ ସୁକିନ୍ଦା ଥାନାରେ ଏକ ଅଭିଯୋଗ କରିଥିଲେ। ମାତ୍ର ସୁକିନ୍ଦା ପୁଲିସ କେବଳ ମାମଲା ରୁଜୁ କରି ବିଡିଓଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାକୁ ଦୃଢ଼ ନିନ୍ଦା କରିଛି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମୂହ। ମିଥ୍ୟା ମାମଲାରେ ଗିରଫ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ଓ ଅଭିଯୁକ୍ତ ସୁକିନ୍ଦା ବିଡିଓ ତାପସ କୁମାର ସେଠୀଙ୍କୁ ଗିରଫ କରିବାକୁ ଏସପିଙ୍କ ଜରିଆରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

 

 

Leave A Reply

Your email address will not be published.