କିସ୍‌ରେ କଳିଙ୍ଗ ଫେଲୋସିପ୍‌- ୨୦୨୨ଉଦଯାପିତ: ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ

କେନ୍ୟୁଜ୍(ବ୍ୟୁରୋ): ମହିଳାମାନେ ସଶକ୍ତ ହେଲେ ସେମାନଙ୍କ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି । କିସ୍‌ରେ ୫ଦିନ ବ୍ୟାପୀ ଚାଲିଥିବା କଳିଙ୍ଗ ଫେଲୋସିପ୍‌-୨୦୨୨ର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହେମ୍ବ୍ରମ କହିଥିଲେ, ମାନବ ଚାଲାଣ ଓ ଲିଙ୍ଗଗତ ଅସମାନତା ହେଉଛି ଅତି ସମ୍ବେଦନଶୀଳ ପ୍ରସଙ୍ଗ ଯାହାକି ଏବେ ବି ଆମ ସମାଜରେ ଦେଖିବାକୁ ମିଳିଥାଏ ।

ଆମ ସମ୍ବିଧାନ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏସବୁ ସମସ୍ୟାର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏ କ୍ଷେତ୍ରରେ କଳିଙ୍ଗ ଫେଲୋସିପ୍‌ ପ୍ରୟାସକୁ ହେମ୍ବ୍ରମ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚୁ୍ୟୁତ ସାମନ୍ତ କହିଲେ, ମାନବ ଚାଲାଣ ହେଉ କି ମହିଳା ସଶକ୍ତିକରଣ ସବୁ ସମସ୍ୟାର ଶେଷ ସମାଧାନ ହେଉଛି ଶିକ୍ଷା ।

ଯଦି ଆମେ ପ୍ରତ୍ୟେକ ମହିଳାଙ୍କୁ ସମ୍ମାନ କରିପାରିବା ତେବେ ସବୁ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ ବୋଲି ସେ କହିଥିଲେ । କିସ୍‌ ଓ କଳିଙ୍ଗ ଫାଉଣ୍ଡେସର ଲକ୍ଷ୍ୟ ଏକ ବୋଲି ସେ କହିଥିଲେ । କିସ୍‌ ଦୀର୍ଘ ୨୫ବର୍ଷ ଧରି ବାସ୍ତବ କ୍ଷେତ୍ରରେ ମାନବ ଚାଲାଣ ରୋକିବା ଓ କନ୍ୟାଶିଶୁଙ୍କ ସଶକ୍ତିକରଣ କାର୍ଯ୍ୟ କରି ଆସୁଛି ବୋଲି ଡା. ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଏଫ୍‌ଏକ୍ସବି ଇଣ୍ଡିଆ ସୁରକ୍ଷାର ସିଓଓ ସତ୍ୟ ପ୍ରକାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରିଜ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ୟୁକେର ସିଇଓ ସାଇମନ୍‌ ମେକେନଜି ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.