Below header

ଆସିଛି ବୈତରଣୀ ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ, ଭଣ୍ଡାରୀପୋଖରୀ ଓ ଯାଜପୁରକୁ ଯୋଗାଯୋଗ ବିଛିନ୍ନ

ଯାଜପୁର ଟାଉନ/ଭଦ୍ରକ: ବଢୁଛି ବୈତରଣୀ ଓ ତାର ଶାଖା ନଦୀର ଜଳସ୍ତର। ଏଥିଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ପ୍ରଥମ ବନ୍ୟା ଆସିଛି। ଆଖୁଆପଦା, ବଲ୍ଲବୀଘାଟ ଓ ଦଶରଥପୁର ଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଦଶରଥପୁର ବ୍ଲକ ଦୁଦୁରାଅଂଟା କଣ୍ଟାପଡା ନିକଟରେ ବୈତରଣୀ ଶାଖା କାଣୀ ନଦୀରେ ୪୦ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଇବା ଫଳରେ ନଦୀ କୂଳିଆ ଲୋକ ଭୟଭୀତ ହୋଇପଡିଛନ୍ତି। ବନ୍ୟା ପାଣି ଆସି ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକର ବହୁ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। କିଛି ଗାଁରେ ଲୋକେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ତଳିଆ ଅଞ୍ଚଳରେ ରହୁଥିବ ଲୋକେ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୮.୯୪ ମିଟର ଉପରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି । ଗତକାଲିଠୁ ନଦୀରେ ଧୀରେ ଧୀରେ ବଢୁଛି ପାଣି। ଭଣ୍ଡାରୀପୋଖରୀ ବ୍ଲକର ବାଲିପୋଖରୀ, ମାଳଦା, ଷୋଳମପୁର ଓ ନପଙ୍ଗ ଏହି ୪ଟି ପଞ୍ଚାୟତ ପାଣି ଘେରରେ ରହିଛି। ମାଳଦାଠାରେ ୫ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାବେଳେ ଭଣ୍ଡାରୀପୋଖରୀ ଓ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ବନ୍ୟାଜଳ ବିପଦ ସଙ୍କେତ ଟପିଥିବା ଯୋଗୁଁ ଭୟଭୀତ ଅବସ୍ଥାରେ ରହିଛନ୍ତି ତଳିଆ ଅଞ୍ଚଳବାସୀ । ଧାମନଗର ବ୍ଲକ ଥିବା ଗୌରାଙ୍ଗପୁର ଏସ୍‌କେପ, ମଲି ମହାରା ଏସ୍‌କେପ ଏବଂ ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ଓ କଣ୍ଟି ଏସ୍‌କେପ ଦେଇ ପ୍ରବାହିତ ହୋଇ ତଳିଆ ଅଂଚଳରେ ପହଂଚିଛି। ପରିସ୍ଥିତିର ମୁକାବିଲା ପାଇଁ ୩ ODRAF ଟିମ ଓ ୫ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.