ଆଜିଠୁ ବଢ଼ିବ ତାତି, ସିଝିବ ଅଧା ଓଡ଼ିଶା: ଆସନ୍ତା ୩ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ବଢ଼ିବ ତାତି । ଆଗାମୀ ୩ଦିନ ଯାଏ ତତଲା କଡେଇରେ ସିଝିବ ଅଧା ଓଡ଼ିଶା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌ ସମ୍ଭାବନା ରହିଛି । କିଛି ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜକୁ ହିଟ୍‌ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି । ଗତକାଲି ୩୯ ଡିଗ୍ରୀ ଉପରେ ଥିଲା ୫ ସହର । ଅନୁଗୁଳରେ ସର୍ବାଧିକ ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.