Below header

ବଲାଙ୍ଗିରରେ ପୁଣି କଙ୍ଗାରୁ କୋର୍ଟ! ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼, ଭାଇରାଲ୍ ହେଉଛି ଭିଡିଓ

ବଲାଙ୍ଗିର : ବଲାଙ୍ଗିର ସହର ଭିତରେ କଙ୍ଗାରୁ କୋର୍ଟ। ଗତ ବୁଧବାର ଇଟାଭାଟିରେ ନାବାଳକଙ୍କୁ ସୈତାନ ଦାଦନ ସର୍ଦ୍ଦାରର ଅତ୍ୟାଚାରର ଭିଡିଓ ଭାଇରାଲ ହୋଇ ସାମ୍ନାକୁ ଆସିଥିବାବେଳେ, ଗୁରୁବାର ଆଉ ଏକ କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, କଲେଜ ପିଲା ଓ କିଛି ଅଣଛାତ୍ର ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଭାଇରାଲ ଭିଡିଓରେ ଥିବା ଛାତ୍ରମାନେ ରାଜେନ୍ଦ୍ର ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର ବୋଲି ୟୁନିଫର୍ମରୁ ସନ୍ଦେହ କରାଯାଉଛି।

ଭାଇରାଲ ଭିଡିଓରେ ଜଙ୍ଗଲ ଭିତରେ ଉନ୍ମତ୍ତ ଯୁବକମାନଙ୍କ ଦାଦାଗିରି। ପରିଧାନରେ କଲେଜ ୟୁନିଫର୍ମ। ଅଧିକାଂଶ ପିଲାଙ୍କ ପଛପଟେ ବହିବ୍ୟାଗ୍‌। କିଛି ଅଣଛାତ୍ର ବି ସାମିଲ ହୋଇଛନ୍ତି। ଜଣେ ଯୁବକଙ୍କୁ ଘେରାବନ୍ଦୀ କରି ବାଡ଼ିରେ ପ୍ରହାର କରୁଛନ୍ତି। ୬ ମିନିଟର ୨ଟି ଭାଇରାଲ ଭିଡିଓକୁ ଦେଖିଲେ କିଛି କିଛି ଜାଗାରେ ବାରି ହୋଇପଡୁଛି ମାଡ଼ ଖାଉଥିବା ଯୁବକ ଦେହରେ ସିଗାରେଟ ଚେଙ୍କ ବି ଦିଆଯାଉଛି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଗକୁ ମାରିଦେବାର ଧମକ ବି ଦିଆଯାଉଛି।

ବଦମାସ ଯୁବକମାନଙ୍କର କଥା ଶୁଣିଲେ ବାରି ହୋଇପଡୁଛି ପୂର୍ବ ଶତ୍ରୁତାର ଇଏ ହେଉଛି ପ୍ରତିଶୋଧ। ୬ ମିନିଟର ଭାଇରାଲ ଭିଡିଓରେ ଦୁଇଟି ନାଁ ସ୍ପଷ୍ଟ ଜଣାପଡୁଛି। ସୁମନ ଓ ଅନିମେଶ। ମାଡ଼ମାରିଲା ପରେ ଗୁରୁତର ଯୁବକଙ୍କୁ ଅନ୍ୟମାନଙ୍କୁ ଗୋଡ଼ଧରି କ୍ଷମା ମାଗିବାକୁ ବାଧ୍ୟ କରାଯାଉଛି। ସହର ଆଖପାଖ ଜଙ୍ଗଲ ଭିତରେ ଏସବୁ ଘଟଣା ଘଟିଥିବା ଜଣାପଡୁଛି। କଲେଜ ପିଲାଙ୍କ କଙ୍ଗାରୁକୋର୍ଟ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବଲାଙ୍ଗୀର ଏସ୍‌ପି। ଏସ୍‌ପିଙ୍କ ନିର୍ଦେଶକ୍ରମେ ତୁରନ୍ତ ସ୍ୱତନ୍ତ୍ର ପୁଲିସ ଟିମ୍‌ ବିଭିନ୍ନ ଜାଗାରେ ଚଢ଼ଉ କରି ୪ ରୁ ୫ ଜଣଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟମାନଙ୍କୁ ବି ଚିହ୍ନଟ କରି ଖୋଜା ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.