ଯାଜପୁରରେ ଉଦ୍ଧାର ଟଙ୍କା ସୁଝି ନପାରିବାରୁ ଯୁବକଙ୍କୁ ଅପହରଣ ଘଟଣା: ଜେଲ ଗଲା ଦବଙ୍ଗ ଲେଡିଙ୍କ ସମ୍ପର୍କୀୟ

ଯାଜପୁର ଟାଉନ(କେନ୍ୟୁଜ୍): ଉଦ୍ଧାର ଟଙ୍କା ସୁଝି ନ ପାରିବାରୁ ଯାଜପୁର ଥାନା ଖଣ୍ଡରା ଗ୍ରାମର ଜଣେ ଯୁବକଙ୍କୁ ଯାଜପୁର ସହରର ଜୈନିକା ମହିଳା କିଛି ସହଯୋଗୀଙ୍କ ସହାୟତାରେ ଉଦ୍ଧାର ନେଇଥିବା ଯୁବକଙ୍କୁ ଚଳିତ ମାସ ୨୬ ତାରିଖ ଗୁରୁବାର ବିଳମ୍ବିତ ରାତ୍ରିରେ ତାଙ୍କ ଘରୁ ବଳ ପୂର୍ବକ ଉଠାଇଆଣି କୁସୁମା ପୋଖରୀ ସମ୍ମୁଖରେ ଥିବା ମହିଳାଙ୍କ ଘରର ଏକ କୋଠରୀରେ ତାଲା ପକାଇ ରଖିବା ମାମଲାରେ ୨୭ ତାରିଖ ପୂର୍ବାହ୍ନରୁ ଯାଜପୁର ଟାଉନ ଥାନାରେ ଅଟକ ଥିବା ମହିଳାଙ୍କ ସମ୍ପର୍କୀୟ ମୁସ୍ତାକିମ୍ ଅଲ୍ଲିଖାଁଙ୍କୁ ଜେଲ୍ ଯିବାକୁ ପଡିଛି ।

ଆଜି ତଦନ୍ତକାରୀ ଯାଜପୁର ଟାଉନ ଥାନା ପୁଲିସ୍ ଏହି ଘଟଣାରେ ଉଦ୍ଧାର ହୋଇଥିବା ଯୁବକ ମାନସ ଗେଡିଙ୍କ ତଥ୍ୟକୁ ଭିର୍ତ୍ତିକରି ମୁଖ୍ୟ ଅଭିଯୁକ୍ତା ମହିଳାଙ୍କ ସମ୍ପର୍କୀୟ ମୁସ୍ତାକିମ୍ ଅଲ୍ଲି ଖାଁଙ୍କ ସମେତ ଜଣେ ଅଟୋ ଚାଳକ ଓ ଖଣ୍ଡରା ଅଞ୍ଚଳର ଅନ୍ୟଜଣେ ଯୁବକଙ୍କୁ ପଚାରାଉଚରା ପରେ ଅଟୋଚାଳକଙ୍କୁ ଛାଡିଦେଇଥିବା ବେଳେ ମୁସ୍ତାକିମ୍ ଅଲ୍ଲି ଖାଁ ଏବଂ ଖଣ୍ଡରା ଅଞ୍ଚଳର ଯୁବକଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ୍ ମଞ୍ଜୁର ହେବା ପରେ ଖଣ୍ଡରା ଅଞ୍ଚଳର ଯୁବକ କୋର୍ଟରୁ ଛାଡ ପାଇଥିବା ବେଳେ ମୁସ୍ତାକିମ୍ ଅଲ୍ଲି ଖାଁ ଜେଲ୍ ଯାଇଥିବା ଜଣାଯାଇଛି ।

ଅପରପକ୍ଷେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତା ତଥା ଦବଙ୍ଗ୍ ଲେଡି କୋରେସା ବିବି ପୁଲିସ୍ ଚଢ଼ାଉପରେ କେଉଁ ଅଜଣା ସ୍ଥାନରେ ଲୁଚି ରହିଥିବା ଜଣାପଡିଛିି । ତେବେ ଖୁବ୍ ଶୀଘ୍ର ତାଙ୍କୁ ଆଇନ ପରିସରକୁ ଆଣିବାକୁ ତଦନ୍ତକାରୀ ଯାଜପୁର ଟାଉନ ଥାନା ପୁଲିସ୍ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ସୂଚନା ଥାଉକି ଯାଜପୁର ସହରର ସ୍ଥିତ କୁସୁମା ପୋଖରୀ ସମ୍ମୁଖରେ ଅଭିଯୁକ୍ତା ମହିଳା କୋରେସା ବିବି ଏକ ଅର୍ଥ ଲଗାଣ ସଂସ୍ଥା ଜରିଆରେ ଯାଜପୁର ସହର ଓ ନିକଟବର୍ତ୍ତି ଗ୍ରାମାଞ୍ଚଳରେ ଥିବା ଅଭାବି ବ୍ୟକ୍ତିଙ୍କୁ ସୁଧ ଲଗାଣ କରି ଆର୍ଥିକ ବ୍ୟବସାୟ କରୁଥିବା ବେଳେ ଲଗଣ ଅର୍ଥ ସୁଝି ନପାରିବାରୁ ଯାଜପୁର ଟାଉନ ଥାନା ଅଧିନ ଖଣ୍ଡରା ଗ୍ରାମର ମାନସ ଗେଡିଙ୍କୁ ବଳପୂର୍ବକ କିଛି ସହଯୋଗୀଙ୍କ ସହାୟତାରେ ଚଳିତ ମାସ ୨୬ ତାରିଖ ବିଳମ୍ବିତ ରାତ୍ରିରେ ଉଠାଇ ଆଣି ନିଜ ଘରେ ଥିବା ଏକ କୋଠରୀରେ ଚାବି ପକାଇ ଅଟକ ରଖିଥିଲେ । ଅଟକ ଥିବା ମାନସଙ୍କ ପତ୍ନୀ ପଦ୍ମିନୀ ଗେଡିଙ୍କ ଲିଖିତ ଅଭିଯୋଗକୁ ଭିର୍ତ୍ତିକରି ପୁଲିସ୍ ୨୭ ତାରିଖ ପୂର୍ବାହ୍ନରେ ସମ୍ପୃକ୍ତ ମହିଳାଙ୍କ ଘରେ ଚଢ଼ାଉକରି ଅଟକ ମାନସଙ୍କୁ ମୁକୁଳାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.