Below header

ମେଟାଭର୍ସରେ ୨୧ ବର୍ଷୀୟା ଯୁବତୀଙ୍କ ସହ ଭର୍ଚୁଆଲି ଦୁଷ୍କର୍ମ! ମେଟା କହିଲା, ଯୁବତୀ ବ୍ୟବହାର କରି ନାହାନ୍ତି ସେଫ୍ଟି ଫିଚର ଟୁଲ୍‌

ମେଟା (Meta)ର ଭର୍ଚୁଆଲ୍ ୱାର୍ଲ୍ଡ ମେଟାଭର୍ସ ଅର୍ଥାତ୍ ହୋରାଇଜନ୍‌ ୱାର୍ଲ୍ଡସ୍ ବିବାଦ ଘେରକୁ ଆସିଛି। ଏହି ଭର୍ଚୁଆଲ୍ ଓ୍ଵାର୍ଲ୍ଡରେ ଜଣେ ଯୁବତୀ ଜଣେ ଅଜଣା ବ୍ୟକ୍ତିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି। ଯୁବତୀଙ୍କ କହିବା ହେଲା, ମେଟାଭର୍ସର ଭର୍ଚୁଆଲ୍ ଦୁନିଆରେ ତାଙ୍କ ଚରିତ୍ର ସହିତ ଦୁଷ୍କର୍ମ କରାଯାଇଛି। ଯୁବତୀ ଏହା ମଧ୍ୟ ଦାବି କରିଛନ୍ତି ଯେ ଅନ୍ୟ ଏକ ଚରିତ୍ର ତାଙ୍କ ସହିତ ହେଉଥିବା ଏହି ଦୁଷ୍କର୍ମ ଘଟଣାକୁ ଉପଭୋଗ କରୁଥିଲା ଏବଂ ତା’ ହାତରେ ଭୋଡ୍‌କା ବୋତଲ ଥିଲା, ଯାହାକୁ ସେ ବାଣ୍ଟୁଥିଲା।

ରିପୋର୍ଟ ମୁତାବକ, SumOfUs ଏକ ନନ୍‌ ପ୍ରଫିଟ୍‌ ସଂସ୍ଥା। ନିକଟରେ ଏହା ୨୧ ବର୍ଷୀୟା ଜଣେ ଯୁବତୀଙ୍କୁ ଭର୍ଚୁଆଲ ଦୁନିଆକୁ ପଠାଇଥିଲା। କିନ୍ତୁ ଏଠାରେ ଘଣ୍ଟାଏ ପରେ ଯୁବତୀଙ୍କ ଅବତାର (ଚରିତ୍ର) ସହ ଅଜଣା ବ୍ୟକ୍ତି ଯୌନ ଉତ୍ପୀଡ଼ନ କରିବା ଆରମ୍ଭ କରିଦେଇଥିଲେ। ଏହି ଘଟଣାକୁ ନେଇ ଯୁବତୀ କହିଛନ୍ତି, ଏ ସବୁ ବହୁତ ଶୀଘ୍ର ହୋଇଥିଲା। ଏ ସବୁ ମୋ ଅବତାର ସହିତ ହେଉଥିଲା, କିନ୍ତୁ ମୋତେ ଏମିତି ଲାଗୁଥିଲା ଯେମିତି ଏହା ମୋ ସହିତ ଘଟୁଛି। ଯୁବତୀ ମେଟାଭର୍ସର Horizon Worlds App ମାଧ୍ୟମରେ ଭର୍ଚୁଆଲ ଦୁନିଆରେ ଏଣ୍ଟର କରିଥିଲେ।

ତେବେ ଏହି ଘଟଣାକୁ ନେଇ ମେଟାଭର୍ସର ଜଣେ ପ୍ରବକ୍ତା କହିଛନ୍ତି, ଯୁବତୀ ଜଣକ ଆମ ସେଫ୍ଟି ଫିଚର ଟୁଲ୍‌ (ଡିଫଲ୍ଟ ରୂପରେ ଚାଲୁ ହୋଇଥାଏ)କୁ ଆକ୍ଟିଭ୍‌ କରି ନ ଥିବେ। ଏହା ଜରିଆରେ ଅଜଣା କିମ୍ବା ଫ୍ରେଣ୍ଡ୍‌ ଲିଷ୍ଟ ବାହାରର ଲୋକଙ୍କୁ ନିକଟତର ହେବାକୁ ରୋକା ଯାଇପାରିବ। ଏହାଦ୍ୱାରା ଅବାଞ୍ଛିତ ବର୍ତ୍ତାଳାପରୁ ବଞ୍ଚିବା ସହଜ ହୋଇଯିବ। ବର୍ତ୍ତମାନ ଆହୁରି ବି ସେଫ୍ଟି ଫିଚର୍ସ ଉପରେ କାମ କରାଯାଉଛି।

ସୂଚନାଥାଉ କି, ମେଟାଭର୍ସ ସମ୍ପୂର୍ଣ୍ଣ ଭାବେ ଏକ ଭର୍ଚୁଆଲ ଦୁନିଆ, କିନ୍ତୁ ଏଥିରେ ସବୁ କାମ ହୋଇପାରୁଛି, ଯାହା ଆମ ବାସ୍ତବ ଦୁନିଆରେ ଘଟୁଛି। ଏମିତିରେ ସେଫ୍ଟି ଫିଚର୍ସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ଲଣ୍ଡନରେ ରହୁଥିବା ଜଣେ ମହିଳା ମଧ୍ୟ ଅଭିଯୋଗ ଆଣିଥିଲେ ଯେ ମେଟାଭର୍ସରେ ଯୋଡ଼ି ହେବାର ୬୦ ସେକେଣ୍ଡ ଭିତରେ ସେଠାରେ କିଛି ୟୁଜର ମିଶି ତାଙ୍କ ଅବତାରକୁ ଶାରୀରିକ ଶୋଷଣ କରିଥିଲେ। ଆପଣଙ୍କୁ କହି ରଖୁଛୁ, ଯେତେବେଳେ ବି କେହି ମେଟାଭର୍ସରେ ସାଇନ ଇନ କରି ଥାଆନ୍ତି, ସେତେବେଳେ ସେମାନେ ଏକ ଅନଲାଇନ ଦୁନିଆରେ ପ୍ରବେଶ କରନ୍ତି। ଏଠାରେ ୟୁଜର୍ସଙ୍କୁ ଭର୍ଚୁଆଲ ଅବତାର ମିଳିଥାଏ ଏବଂ ତାହା ଯୋଗାଯୋଗ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.