ସମସ୍ତ ଟେଲିକମ୍‌ କମ୍ପାନୀର ରେକର୍ଡ ଭାଙ୍ଗିଲା ଭୋଡାଫୋନ୍‌-ଆଇଡିଆ, ୫ଜି ଟ୍ରାଏଲରେ ପ୍ରଦାନ କଲା ୩.୭ GBPS ସ୍ପିଡ୍‌

ଦେଶରେ ୫ଜି ଟ୍ରାଏଲ ଆରମ୍ଭ କରିଛି ଭୋଡାଫୋନ୍‌ ଆଇଡିଆ। ରବିବାର ଏହି ଟେଲିକମ୍‌ କମ୍ପାନୀ ୫ଜି ଟ୍ରାଏଲ ବେଳେ ୩.୭ ଗିଗାବାଇଟ୍‌ ପ୍ରତି ସେକେଣ୍ଡର ହାଇ ସ୍ପିଡ୍‌ ନେଟ୍‌ ପ୍ରଦାନ କରିଥିବା ନେଇ ଦାବି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଟ୍ରାଏଲ ହୋଇଥିବା କୌଣସି କମ୍ପାନୀ ଏତେ ଅଧିକ ସ୍ପିଡ୍‌ ଦେଇନଥିବା ଜଣାଯାଇଛି। ଏହି ସ୍ପିଡ୍‌ ଏବେକାର ସବୁଠାରୁ ଅଧିକ ସ୍ପିଡ୍‌। ଭୋଡାଫୋନ୍‌ ଆଇଡିଆ ଗାନ୍ଧୀନଗର ଓ ପୁଣେରେ ମିଡ୍‌ ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌ରେ ୧.୫ ଜିବିପିଏସ୍‌ ଡାଉନ୍‌ଲୋଡ୍‌ ସ୍ପିଡ୍‌ ରହିଥିବା କୁହାଯାଉଛି।

ଭୋଡାଫୋନ୍‌ ଆଇଡିଆକୁ ୫ଜି ନେଟ୍‌ଓ୍ଵାର୍କ ଟ୍ରାଏଲ ପାଇଁ ଟ୍ରାଡିସନାଲ ୩.୫ ଗିଗାହର୍ଜ ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡ ସହ ଟେଲିକମ୍‌ ଡିପାର୍ଟମେଣ୍ଟ ପକ୍ଷରୁ ୨୬ ଗିଗାହର୍ଜ ହାଇ ଫ୍ରିକ୍ୱେନ୍ସି ବ୍ୟାଣ୍ଡ ମଧ୍ୟ ଆଲର୍ଟ କରାଯାଇଛି। ମହାରାଷ୍ଟ୍ରର ପୁନେଠାରେ Vi ପକ୍ଷରୁ ନୂଆ ଜେନେରେସନ୍‌ର ଟ୍ରାନ୍ସପୋର୍ଟ ଓ ରେଡିଓ ଆକ୍ସେସ୍‌ ନେଟ୍‌ଓ୍ଵର୍କ, କ୍ଲାଉଡ୍‌ କୋରର ଲ୍ୟାବ୍‌ ସେଟ୍‌ଅପ୍‌ରେ ୫ଜି ଟ୍ରାଏଲ କରାଯାଇଛି।

Vi ପକ୍ଷରୁ କୁହାଯାଇଛି ଯେ ଏହି ୫ଜି ଟ୍ରାଏଲରେ କମ୍ପାନୀ mmWave ର ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡ ଉପରେ ଖୁବ୍‌ କମ୍‌ ଲାଟେନ୍ସି ସହ ୩.୭ ଜିବିପିଏସ୍‌ଠାରୁ ଅଧିକ ଟପ୍‌ ସ୍ପିଡ୍‌ ପ୍ରାପ୍ତ କରିଛି। ତେବେ ଦେଶରେ ପ୍ରତ୍ୟେକ ଲୋକଙ୍କ ପାଖରେ ହାଇ ସ୍ପିଡ୍‌ ନେଟଓ୍ଵାର୍କ ପହଞ୍ଚାଇବା ଭୋଡାଫୋନ୍‌ର ଲକ୍ଷ୍ୟ ବୋଲି କମ୍ପାନୀର ମୁଖ୍ୟ ଟେକ୍ନୋଲୋଜି ଅଫିସର ଜଗବୀର ସିଂହ କହିଛନ୍ତି।