Below header

ନବୀନ ବନାମ ମୋଦି ! ନିର୍ବାଚନ ତାରିଖ ଘୋଷଣା ପରେ ଦୁଇ ନେତାଙ୍କ ପ୍ରଚାର ଟକ୍କର

ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହୋଇଥିଲା ନିର୍ବାଚନ ତାରିଖ। ଏହାପରେ ଆରମ୍ଭ ହୋଇଗଲା ପ୍ରାର୍ଥୀ ଚୟନ। ଆଉ ଏପ୍ରିଲ ଆସୁ ଆସୁ ଆରମ୍ଭ ହେଲା କ୍ୟାମ୍ପେନ। ବିଜେଡିର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ। ଏପ୍ରିଲ ୪ ତାରିଖରେ ଓଡ଼ିଶାବାସୀ ଦେଖିଲେ ନବୀନଙ୍କ ନୂଆ ଶୈଳୀର ପ୍ରଚାର। ହାଇଟେକ୍‌ ବସରେ ବସି ଆରମ୍ଭ କରିଦେଲେ ରୋଡ୍‌ ଶୋ। ଶୁଭାରମ୍ଭ ହୋଇଥିଲା ବ୍ରହ୍ମପୁରରୁ। ଏହାପରେ ନବୀନଙ୍କ ପ୍ରଚାର ଗାଡ଼ିରେ ଲାଗି ନଥିଲା ବ୍ରେକ୍‌। ପ୍ରଥମରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି କ୍ଷେତ୍ର କଭର କରିଥିଲେ। ଦ୍ୱିତୀୟ ଫେଜ୍‌ରେ ବରଗଡ଼, କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗିର, ଆସିକା ଓ ତୃତୀୟ ପର‌୍ୟ୍ୟାୟରେ କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ କଟକରେ କରିଥିଲେ ରୋଡ୍‌ ଶୋ। ଏପ୍ରିଲ ୪ରୁ ଆରମ୍ଭ ହୋଇଥିବା ରୋଡ୍‌ ଶୋ ଓ ପ୍ରଚାର ଏପ୍ରିଲ ୨୭ରେ ସରିଥିଲା। ଦିନରୁ ରାତି ଯାଏ, ଚାଲୁଥିଲା ପ୍ରଚାର। କେବଳ ମଝିରେ ଗୋଟିଏ ଦିନ ବିଷୁବ ସଂକ୍ରାନ୍ତି ଦିନ ବନ୍ଦ ରହିଥିଲା ପ୍ରଚାର। ରୋଡ୍‌ ଶୋ ଜରିଆରେ ସହଜରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ ମୁଖ୍ୟମନ୍ତ୍ରୀ। ବାଟରେ ଲୋକଙ୍କୁ ଉଦ୍‌ବୋଧନ ଦେଉଥିଲେ। ସମୟ ପାଇ ମନ୍ଦିର ଦର୍ଶନ ମଧ୍ୟ କରୁଥିଲେ। ଦେଖିବାକୁ ମିଳୁଥିଲା ଜନସମୁଦ୍ର।

ବିଜେପି ମଧ୍ୟ ପ୍ରଚାରରେ ପଛରେ ନଥିଲେ। ୨୯ ମାର୍ଚ୍ଚରେ ଜୟପୁରରେ କରିଥିଲେ ପ୍ରଚାର ପ୍ରଧାନମନ୍ତ୍ରୀ ମୋଦି। ଏହାପରେ ଏପ୍ରିଲ ୨ରେ ଭବାନୀପାଟଣା, ଏପ୍ରିଲ ଛଅରେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର, ଏପ୍ରିଲ ୧୬ରେ ସମ୍ବଲପୁର ଓ ଭୁବନେଶ୍ୱର, ଏପ୍ରିଲ ୨୩ରେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ପ୍ରଚାର କରିଥିଲେ ମୋଦି। ଭୁବନେଶ୍ୱର ପ୍ରଚାର ବେଳେ ରୋଡ୍‌ ଶୋରେ ଏୟାପୋର୍ଟରୁ ଆସିଥିଲେ ବରମୁଣ୍ଡା ପଡିଆ। ନିର୍ବାଚନ ତାରିଖ ଘୋଷଣା ପରେ ୪ଥର ଓଡ଼ିଶା ଆସି ୮ଟି ସ୍ଥାନରେ ପ୍ରଚାର କରିଥିଲେ ମୋଦି। ଏହାସହ ରାଷ୍ଟ୍ରୀ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼ରୀ , ପୀୟୂଷ ଗୋୟଲ ପ୍ରମୁଖ ଆସି ପ୍ରଚାର କରିଛନ୍ତି।

ନିର୍ବାଚନ ତାରିଖ ଘୋଷଣା ପରେ ଦୁଇ ଥର ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧି। ମାର୍ଚ୍ଚ ୧୫ରେ ଆସିଥିଲେ ଜୟପୁର। ଏହାପରେ ଏପ୍ରିଲ ୨୬ରେ ଆସିଥିଲେ ବାଲେଶ୍ୱର। ନିର୍ବାଚନ ତାରିଖ ଘୋଷଣର ଠିକ୍‌ ୍‌ପୂର୍ବରୁ ମାର୍ଚ୍ଚ ୮ରେ ଜୟପୁର ଆସିଥିଲେ। ସେପଟେ ପଶ୍ଚିମ ଓଡ଼ିଶାରେ ଛତିଶଡ଼ର ମନ୍ତ୍ରୀ କଂଗ୍ରେସ ଦଳ ପାଇଁ ପ୍ରଚାର କରିଥିଲେ। ଏହାସହ ଗୁଲମ ନବୀ ଆଜାଦ, ରାଜ ବବ୍ଦର ଭଳି ବରିଷ୍ଠ ନେତା ଆସି ଓଡ଼ିଶାରେ ପ୍ରଚାର କରିଥିଲେ।… ଏବେ ସବୁ ପ୍ରଚାର ସରିଯାଇଛି। ସବୁ ଶାନ୍ତ ପଡିଯାଇଛି। କେବଳ ବାକି ରହିଯାଇଛି ପାଟକୁରା। ପ୍ରଚାରର ପ୍ରଭାବ କେତେ ମେ ୨୩ ତାରିଖରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.