ଜଗତସିଂହପୁରରେ ଏଥର ରୋଚକ ଲଢ଼େଇ, ନିର୍ବାଚନ ରଣାଙ୍ଗନାରେ ବାପା-ପୁଅ

ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ନଜର ରହିଛି ଜଗତସିଂହପୁର ଉପରେ। ବାପା-ପୁଅଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ଭେଟେରାନ୍‌ ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ। ଗୋଟିଏ ପରିବାର, କିନ୍ତୁ ଦଳ ଦୁଇଟି। ବିଜେଡିରୁ ବହିଷ୍କୃତ ଦାମୋଦର ଏଥର ବିଜେପି ଟିକେଟରେ ଲଢୁଛନ୍ତି। ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଦାମ। ୭ଥର ବିଧାୟକ। ୫ ଥର ଏରସମା ଓ ୨ ଥର ପାରାଦୀପ ଆସନରୁ ଜିତିଛନ୍ତି। ୨୦୦୦ ମସିହାରୁ ବିଜେଡି ଟିକେଟରେ ଲଗାତାର ବାଜିମାତ କରି ଆସୁଥିଲେ ଦାମ। ଏଥର ଦଳ ବଦଳାଇଛନ୍ତି। ବିଜେଡିର ରଘୁନନ୍ଦନ ଦାସ ଓ କଂଗ୍ରେସର ଲଲାଟେନ୍ଦୁ ମହାପାତ୍ରଙ୍କ ସହ ତାଙ୍କର ମୁକାବିଲା। ମେ ୨୩ ତାରିଖରେ ଜଣା ପଡ଼ିବ ଜଗତସିଂହପୁରର ଲୁଣିଆ ପାଣିରେ ଦାମ ପଦ୍ମ ଫୁଟାଇ ପାରିବେ କି ନାହିଁ।

୨୦୧୯ ବ୍ୟାଟଲ୍‌ ଦାମଙ୍କ ପାଇଁ ଯେତିକି ଚ୍ୟାଲେଞ୍ଜିଂ, ପୁଅ ପାଇଁ ବି ସେତିକି ବି ଗୁରୁତ୍ୱ ରଖୁଛି। ସମ୍ବିତ ରାଉତରାୟଙ୍କ ପାଇଁ ଏହି ନିର୍ବାଚନ ଏସିଡ୍‌ ଟେଷ୍ଟ। ବାପା ଲଢୁଥିବା ପାରାଦୀପ ଆସନ ତାଙ୍କୁ ଦେଇଛନ୍ତି ବିଜେଡି ସୁପ୍ରିମୋ। ରାଜନୀତିରେ ଡେବ୍ୟୁ କରିଛନ୍ତି ସମ୍ବିତ। ତାଙ୍କ ଅପୋଜିଟରେ ଅଛନ୍ତି କଂଗ୍ରେସର ଅରିନ୍ଦମ ସର୍ଖେଲ ଓ ବିଜେପିର ସମ୍ପଦ ସ୍ୱାଇଁ। ଦଳର ଭୋଟ୍‌ ବ୍ୟାଙ୍କକୁ ଅକ୍ତିଆରରେ ରଖିବା ସମ୍ବିତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଏବେ ଭରସା ଜନତା ଜନାର୍ଦ୍ଦନା। ଜନାଦେଶ ସ୍ପଷ୍ଟ କରିବ ସମ୍ବିତଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ।

ସେପଟେ ଫୋକସରେ ରହିଛି ଜଗତସିଂହପୁର ବିଧାନସଭା ଆସନ। ବର୍ତ୍ତମାନର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପାଇଁ ଏହି ଲଢ଼େଇ ସମ୍ମାନର ପ୍ରଶ୍ନ। ୨୦୦୦ ମସିହାରୁ ବିଜେଡି ଏଠାରେ କ୍ରମାଗାତ ବିଜୟୀ ହୋଇ ଆସୁଥିଲା। ଜିତି ଆସୁଥିଲେ ବିଷ୍ଣୁ ଦାସ। କିନ୍ତୁ ୨୦୧୪ରେ ବିଜେଡିର ବିଜୟଧାରାରେ ବ୍ରେକ୍‌ ଲଗାଇଥିଲେ ଚିରଞ୍ଜୀବ। ଏଥର ଏଠାରେ ପ୍ରାର୍ଥୀ ବଦଳାଇଛି ବିଜେଡି। ବିଷ୍ଣୁ ଦାସଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କରିଛି। ପ୍ରଶାନ୍ତ ବର୍ତ୍ତମାନ ବାଲିକୁଦା-ଏରସମା ବିଧାୟକ ଅଛନ୍ତି। ସେହିପରି ବିଜେପି ଟିକେଟରେ ଲଢୁଛନ୍ତି ସତ୍ୟବ୍ରତ ମହାପାତ୍ର। ଚିରଞ୍ଜୀବ ଦ୍ୱିତୀୟ ଥର ବାଜି ମାରିବା ଲକ୍ଷ୍ୟରେ ଥିବା ବେଳେ ଭୋଟର କାହା ମୁଣ୍ଡରେ ଶିରପା ପିନ୍ଧାଛନ୍ତି ତାହା ଫଳାଫଳରୁ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.