Below header

ପୁରୁଣାକୁ ଭରସା କରିବେ ନା ନୂଆକୁ ସ୍ୱାଗତ କରିବେ କଟକ ଜିଲ୍ଲାବାସୀ?

କଟକ : ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଯେତିକି ବର୍ଷ କଟକ ଲୋକସଭା ଆସନରେ ସାଂସଦ ଭାବେ ସେତିକି ବର୍ଷ କାର୍ଯ୍ୟ କରିଛନ୍ତି ଭର୍ତ୍ତୃହରି ମହତାବ । ଲଗାତର ଭାବେ ୧୯୯୮ରୁ ୨୦୧୪ ଲଗାତର ୫ଥର ଏହି ଅସନରୁ ଜିତି ଆସିଛନ୍ତି ଭର୍ତ୍ତୃହରି । ଏଥର ବିଳମ୍ବରେ ହେଉ ପଛେ ପୁଣି ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଗତକାଲି ସେ ଟିକେଟ୍‌ ପାଇବା ପରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଭରସା ଅଛି, ତେଣୁ ସେ ଜିତିବେ ବୋଲି କହିଛନ୍ତି । ବିଶେଷ କରି ଏଥର ପ୍ରଥମ କରି ଭୋଟ୍‌ ଦେଉଥିବା ଯୁବ ତଥା ନୂଆ ଭୋଟରମାନେ ନିଶ୍ଚିତ ଭାବେ ଏକ ସ୍ଥାୟୀ ସରକାରକୁ ଭୋଟ୍‌ ଦେବେ ବୋଲି ଭର୍ତ୍ତୃହରି କହିଛନ୍ତି ।

BHARTRU-1

ଅନ୍ୟପକ୍ଷରେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରକାଶ ମିଶ୍ର । ଯିଏକି ଜଣେ ଆପିଏସ୍‌ ଅଫିସର ଏବଂ ରାଜ୍ୟର ପୂର୍ବତନ ଡିଜି । ପ୍ରକାଶ ମିଶ୍ର ଜଣେ ଦକ୍ଷ ଆଇପିଏସ୍‌ ହୋଇଥିଲେ ମଧ୍ୟ ରାଜନୀତି ରଣକ୍ଷେତ୍ରରେ ଏକଦମ୍‌ ନୂଆ ।
ରାଜନୀତି କ୍ଷେତ୍ରରେ ଭର୍ତ୍ତୃହରି ଖୁବ୍‌ ପରିପକ୍ୱ । ସବୁବେଳେ ସଂସଦରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ଏବଂ ବିଜୁ ଜନତା ଦଳର ଭଲ ଭାବେ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି । ଏହା ସହିତ ତାଙ୍କୁ ମିଳିଛି ଶ୍ରେଷ୍ଠ ସାଂସଦର ସମ୍ମାନ । ତେବେ ବେଶ୍‌ କିଛି ସମସ୍ୟା ସହ ଦୀର୍ଘ ଦିନ ଧରି ଯୁଝୁଥିବା କଟକ ବାସିନ୍ଦା ଏଥର କେତେଦୂର ଭର୍ତ୍ତୃହରିଙ୍କୁ ଭରସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଅନ୍ୟପକ୍ଷରେ ମାତ୍ର ଦିନ କେଇଟା ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ପ୍ରକାଶ ମିଶ୍ର । ସରକାର ପରିବର୍ତ୍ତନ କରି ନୂଆ ଓଡ଼ିଶା ଗଢ଼ିବାର ନାରା ହେଉଛି ପ୍ରକାଶଙ୍କର । ଅବଶ୍ୟ ୨୦୧୨ରୁ ୨୦୧୪ ଯାଏ ରାଜ୍ୟର ପୋଲିସ୍‌ ଡିଜି ଭାବେ କାର୍ଯ୍ୟ କଲା ବେଳେ ଶାସକ ଦଳ ସହ ସମ୍ପର୍କରେ ଅବନତି ପରେ ବିବାଦୀୟ ପରିସ୍ଥିତି ତାଙ୍କୁ ବିଜେପିକୁ ଯିବା ପାଇଁ ବାଧ୍ୟ କରିଛି ବୋଲି ରାଜନୀତି ବିଶାରଦମାନେ କୁହନ୍ତି ।

PRAKASH-2
ଯଦି ପରିବର୍ତ୍ତନ ପାଇଁ କଟକ ଜିଲ୍ଲା ବାସିନ୍ଦା ଆଶାୟୀ ଥାନ୍ତି ତେବେ ହୁଏତ ସଚ୍ଚୋଟ ପୋଲିସ୍‌ ଅଫିସର୍‌ ପ୍ରକାଶ ମିଶ୍ରଙ୍କୁ ସମର୍ଥନ ଦେଇ ପାରନ୍ତି । ଯଦିଓ ରାଜନୀତି ପ୍ରକୃତରେ କଣ ପୋଲିସ୍‌ ଅଧିକାରୀ ଭାବେ ପ୍ରକାଶ ବାବୁ ଅତି ପାଖରୁ ଦେଖିଥିବେ ହେଲେ ଏଥର ମଇଦାନରେ ସିଧାସଳଖ ସେକଥା ଅନୁଭବ କରିବେ । କିନ୍ତୁ ସବୁ କିଛି ନିର୍ଭର କରୁଛି ନବୀନ ପଟ୍ଟନାୟକଙ୍କ ଉପରେ । ଯାହାଙ୍କୁ ଦେଖି ଏତେ ବର୍ଷ ହେଲା ଓଡ଼ିଶା ଲୋକେ କେବଳ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ଆସୁଛନ୍ତି ।
ଗତ ୨୦୧୪ ସାଧାରଣ ନିର୍ବାଚନରେ ଭର୍ତ୍ତୃହରିଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ବରିଷ୍ଠ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି (କଂଗ୍ରେସ), ସମୀର ଦେ (ବିଜେପି), ପୂର୍ବତନ ବାଲେଶ୍ୱର ସାଂସଦ ଖାରବେଳ ସ୍ୱାଇଁ (ଆମ ଓଡ଼ିଶା)ଙ୍କ ଭଳି ନାମୀ ଦାମୀ ବ୍ୟକ୍ତିତ୍ୱ । ହେଲେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ଭର୍ତ୍ତୃହରି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପରାଜିତ ମହାନ୍ତିଙ୍କୁ ୩ ଲକ୍ଷ ୬୭୨ଟି ଭୋଟ୍‌ରେ ପରାସ୍ତ କରିଥିଲେ । ଭର୍ତ୍ତୃହରି ୫ ଲକ୍ଷ ୨୬ ହଜାର ୮୫ଟି ଭୋଟ୍‌ ପାଇଥିବା ବେଳେ ଅପରାଜିତାଙ୍କୁ ମିଳିଥିଲା ୨ ଲକ୍ଷ ୧୯ ହଜାର ୩୨୩ଟି ଭୋଟ୍‌ । ସମୀର ଦେ ପାଇଥିଲେ ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଏବଂ ଚତୁର୍ଥରେ ଥିବା ଖାରବେଳ ସ୍ୱାଇଁ ୫୮ ହଜାର ୨୪୬ ଖଣ୍ଡ ଭୋଟ୍‌ ପାଇଥିଲେ ।PANCHANAN KANUNGOସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପଞ୍ଚାନନ କାନୁନଗୋ । ଯିଏକି ପୂର୍ବରୁ ରାଜ୍ୟର ଅର୍ଥମନ୍ତ୍ରୀ ଥିଲେ ଏବଂ ତିନି ତିନିଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଳମ୍ବରେ ତାଙ୍କ ନାଁ ଘୋଷଣା କରାଯାଇଛି । ପଞ୍ଚାନନ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୮ରେ ସେ ବିଜେଡି ଛାଡ଼ିଥିଲେ । ଏହି ବରିଷ୍ଠ ତଥା ଅଭିଜ୍ଞ ନେତା କଟକ ଗୋବିନ୍ଦପୁର ବିଧାନସଭା ଆସନରୁ ୧୯୭୭, ୧୯୯୫ ଏବଂ ୨୦୦୦ରେ ତିନିଧର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଦୀର୍ଘ ବର୍ଷ ଦୂରେଇ ରହିବା ପରେ ତାଙ୍କର ଲୋକପ୍ରିୟତା ପରଖିବେ କଟକ ବାସିନ୍ଦା । ଅବଶ୍ୟ କଂଗ୍ରେସର କିଛି ପକେଟ୍‌ ଭୋଟ୍‌ ସେ ନିଶ୍ଚିତ ଭାବେ ହାସଲ କରିବେ
ରାଜନୀତିର ବଡ଼ ଚାଣକ୍ୟ କୁହାଯାଉଥିବା ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ତାଙ୍କର ଏହି ଦୁଇ ଦଶନ୍ଧିର ଆସନକୁ ବଜାୟ ରଖିବା ଲାଗି କି ରଣକୌଶଳ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର । ସେହିପରି ଦେଖିବାକୁ ବାକି ରହିଲା ଗତ ୨୦୧୪ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର କେତେ ନମ୍ବରରେ ରହୁଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.