Below header

ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌

୬ଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ମତଦାନ। ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ କରିଛନ୍ତି ୧୦କୋଟି ୧୬ଲକ୍ଷ ଭୋଟର। ଦିଲ୍ଲୀର ୭ଟି ଆସନ ଉପରେ ରହିଛି ଦେଶର ନଜର। କଂଗ୍ରେସ ସହ ଆପ ମେଣ୍ଟ ପ୍ରୟାସ ବିଫଳ ହେବା ପରେ ସମସ୍ତ ୭ଆସନରେ ତ୍ରିମୁଖୀ ଲଢେଇ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ନଷ୍ଟ ଇଷ୍ଟ ଦିଲ୍ଲୀରୁ ପ୍ରାର୍ଥୀ ଅଛନ୍ତି ଶିଲା ଦୀକ୍ଷିତ। ତାଙ୍କ ବିରୋଧରେ ବିଜେପି ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀ ଓ ଆପ୍‌ର ଦିଲ୍ଲୀପ ପାଣ୍ଡେ ପ୍ରାର୍ଥୀ ଅଛନ୍ତି। ନୂଆଦିଲ୍ଲୀ ଆସନରେ ବିଜେପିର ମୀନାକ୍ଷୀ ଲେଖି, କଂଗ୍ରେସର ଅଜୟ ମାକନ ଓ ଆପ୍‌ର ବ୍ରିଜେଶ ଗୋୟଲ, ଚାନ୍ଦିନୀଚୌକ ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ଇଷ୍ଟଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ କ୍ରିକେଟର ଗୌତମ ଗମ୍ଭୀର ଓ ଆପ୍‌ର ଅତିଶୀ ମାର୍ଲେନାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ତେବେ ସଙ୍ଗମ ବିହାରର କେତେକ ସ୍ଥାନରେ କିଛି ଦୁର୍ବୃତ୍ତ ଚାରିରୁ ୬ଥର ଭୋଟ ଦେଇଥିବା ଅଭିଯୋଗ ଆଣିଛନ୍ତି ଦକ୍ଷିଣ ଦିଲ୍ଲୀ ଆପ ପ୍ରାର୍ଥୀ ରାଘବ ଚଢା।

ନୂଆଦିଲ୍ଲୀରେ ଆଜି ଭୋଟ ଦେଇଛନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ଭବନ ବୁଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତଦାନ କରିଥିବା ବେଳେ ନିର୍ମାଣ ଭବନରେ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ସପତ୍ନୀକ ମତଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ନିଜାମୁଦ୍ଦିନ ଇଷ୍ଟ ବୁଥରେ କଂଗ୍ରେସ ପ୍ରାର୍ଥୀ ଶୀଲା ଦିକ୍ଷୀତ ମତଦାନ କରିଛନ୍ତି। ସେହିପରି ଲୋଧି ଇଷ୍ଟେଟର ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରା ଦେଇଛନ୍ତି ଭୋଟ। ବାୟୁ ସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବିଏସ ଧନୋଆ ମଧ୍ୟ ସପରିବାର ମତଦାନ କରିଛନ୍ତି। ସିଭିଲ ଲାଇନ୍‌ସ ବୁଥରେ ଭୋଟ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେହିପରି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଓ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ମତଦାନ କରିଛନ୍ତି।

ଉତ୍ତରପ୍ରଦେଶର ୧୪ଟି ଆସନରେ ହୋଇଛି ମତଦାନ। ଆଜମଗଡ଼ର ଏସ୍‌ପି ପ୍ରାର୍ଥୀ ମୁଲାୟମଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ସୁଲତାନପୁର ଆସନରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ପ୍ରୟାଗରାଜରେ ଉତ୍ତର ପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ସପରିବାର ମତଦାନ କରିଛନ୍ତି।

ମଧ୍ୟପ୍ରଦେଶର ୮ ଆସନ ପାଇଁ ହୋଇଛି ଭୋଟିଂ। ଭୋପାଳ ଆସନ ଉପରେ ରହିଛି ସମସ୍ତଙ୍କ ନଜର। କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଅଛନ୍ତି ମାଲେଗାଁଓ ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ସିଂହ ଠାକୁର। ରାଜଗଡ଼ରେ ମତଦାନ କରିଛନ୍ତି ଦିଗବିଜୟ ସିଂହ। ଭୋପାଳରେ ମତଦାନ କରିଛନ୍ତି। ଗୁନା ଆସନରେ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମୋରେନାରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

ହରିୟାଣାରେ ୧୦ଆସନରେ ହୋଇଛି ମତଦାନ। ରୋହତକ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ସୋନିପତରେ ତାଙ୍କ ପୁଅ ଦୀପେନ୍ଦ୍ର ସିଂହ ହୁଡା ହୋଇଛନ୍ତି କଂଗ୍ରେସର ପ୍ରାର୍ଥୀ। ଏହା ସହ ଜନନାୟକ ଜନତା ପାର୍ଟିର ପ୍ରାର୍ଥୀ ସାଂସଦ ଦୁଷ୍ୟନ୍ତ ଚୌତାଲା ଓ ବିଜେପି ପ୍ରାର୍ଥୀ ବ୍ରିଜେନ୍ଦ୍ର ସିଂହ ଓ କଂଗ୍ରେସ ପ୍ରାର୍ଥୀ ଭଜନ ଲାଲଙ୍କ ନାତି ଭବ୍ୟ ବିଷ୍ଣୋୟୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି।

ବିହାରର ୮ଟି ଆସନଗେ ହୋଇଛି ମତଦାନ। ପୂର୍ବ ଚମ୍ପାରଣ ଆସନରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଓ ଝାଡ଼ଖଣ୍ଡରେ କୀର୍ତ୍ତି ଆଜାଦଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ପଶ୍ଚିମବଙ୍ଗର ୮ଟି ଆସନରେ ହୋଇଛି ମତଦାନ। ୨୦୧୪ରେ ଏହି ସମସ୍ତ ଆସନ କବଜା କରିଥିଲା ତୃଣମୂଳ କଂଗ୍ରେସ। ତେବେ ଆଜି ଭୋଟିଂ ବେଳେ ବାଙ୍କୁରା ଓ ପଶ୍ଚିମ ମେଦିନୀପୁରର କେତେକ ବୁଥରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.