ମୁମ୍ବାଇ : ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ବିରୋଧରେ ଥାନାରେ ଏତଲା । ଏତଲା ଦେଇଛନ୍ତି ମହାରାଷ୍ଟ୍ର ମରାଠାଓ୍ଵାଡ଼ା ଅଞ୍ଚଳର ଜଣେ ଚାଷୀ । ପ୍ରଭଣି ଗ୍ରାମାଞ୍ଚଳ ଥାନାରେ ଦିଆଯାଇଥିବା ଏହି ଏତଲାରେ ଦର୍ଶାଯାଇଛି ଯେ ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ ଚାଷୀମାନେ ବିହନ ବୁଣି ଚାଷ ଆରମ୍ଭ କରିଥିଲେ । ହେଲେ ପାଣିପାଗ ଆକଳନ ଭୁଲ ହେବାରୁ ଚାଷୀ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଛି । ଆଇଏମ୍ଡି ଅଧିକାରୀ ଭଲ ବର୍ଷା ହେବ ବୋଲି ପୂର୍ବନୁମାନ କରିଥିଲେ । ତେବେ ପ୍ରଥମରୁ ଅଳ୍ପ ବର୍ଷା ପରେ ଆଉ ବର୍ଷା ହେଲା ନାହିଁ । ତେଣୁ ଭୁଲ ଅନୁମାନ କରି ଚାଷୀକୁଳକୁ ଠକିଛନ୍ତି ପାଣିପାଗ ବିଭାଗ ଅଧିକାରୀ। ଏଥିଲାଗି ବିଭାଗର ନିର୍ଦ୍ଦେଶକଙ୍କ ନାଁରେ ଠକେଇ ଅଭିଯୋଗ ଅନୁଯାୟୀ ମାମଲା ହେବା ଉଚିତ ବୋଲି ଅଭିଯୋଗକାରୀ କହିଛନ୍ତି । ସ୍ୱାଭିମାନୀ ସେତକରି ସଂଗଠନର ମରାଠାଓ୍ଵାଡ଼ା ଆଞ୍ଚଳିକ ଶାଖା ସଭାପତି ମାଣିକ କଦମ ଏହି ଅଭିଯୋଗ କରିଛନ୍ତି । ଗତ ଜୁନ୍ ମାସରେ ମଧ୍ୟ ଏଭଳି ଭାବେ ଆଇଏମ୍ଡି ବିରୋଧରେ ମାମଲା ରୁଜୁ ହୋଇଥିଲା । ଗତ ବର୍ଷ ସେପଟେମ୍ବର ମାସର ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଚିଠି ଲେଖି ଆଇଏମ୍ଡି ବର୍ଷା ସମ୍ପର୍କରେ ଭୁଲ ଆକଳନ କରୁଥିବା ଅଭିଯୋଗ କରିଥିଲେ ।