ଆଜି ଶାସ୍ତ୍ରୀ ଜୟନ୍ତୀ: ଜାଣନ୍ତୁ ଶାନ୍ତି ଦୂତଙ୍କ ସମ୍ପର୍କରେ କିଛି ଅଜଣା କଥା

ସ୍ୱାଧୀନ ଭାରତର ୨ୟ ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଲାଲ ବାହାଦୂରଙ୍କ  ଆଜି ୧୧୬ତମ ଜନ୍ମ ଜୟନ୍ତୀ । ୧୯୦୪ ମସିହା ଆଜିର ଦିନରେ ଉତ୍ତର ପ୍ରଦେଶ ସ୍ଥିତ ମୋଗଲସରାଇ ଠାରେ ଜନ୍ମ ଗ୍ରହଣ କରିଥିଲେ ଶାସ୍ତ୍ରିଜୀ । ଜନ୍ମର ମାତ୍ର ୮ମାସ ପରେ ହିଁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଶାସ୍ତ୍ରୀଙ୍କ ଲାଳନ ପାଳନର ଭାର ତାଙ୍କ ମା ରାମ ଦୂଲାରୀଙ୍କ ଉପରେ ହିଁ ନ୍ୟସ୍ତ ଥିଲା । ପରିବାରରେ ସବୁଠୁ ସାନ ହୋଇଥିବାରୁ ପରିବାରର ସମସ୍ତେ ତାଙ୍କୁ ‘ନନହେ’ ନାମରେ ଡାକୁଥିଲେ । ମାତ୍ର ୧୬ ବୟସରେ ହିଁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ଉଚ୍ଚ ଶିକ୍ଷା ପାଇଁ ଶାସ୍ତ୍ରୀଙ୍କୁ ମାଇଲ ମାଇଲ ରାସ୍ତା ପାଦରେ ଚାଲି ଯିବାକୁ ପଡୁଥିଲା ।

ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ନିଜର ଅଜସ୍ର ଧୀଶକ୍ତି, ଅନନ୍ୟ କାର୍ଯ୍ୟଦକ୍ଷତା ବଳରେ ସେ ସ୍ୱାଧୀନ ଭାରତର ୨ୟ ପ୍ରଧାନ ମନ୍ତ୍ରୀ ହୋଇପାରିଥିଲେ । କେବଳ ଶାସ୍ତ୍ରୀଙ୍କ ଚେଷ୍ଟା ଦ୍ୱାରା ହିଁ ଭାରତରେ ଶ୍ୱେତ ବିପ୍ଳବ ଓ ସବୁଜ ବିପ୍ଳବ ଆରମ୍ଭ ହୋଇପାରିଥିଲା । ନିଜ ଜୀବନରେ କୃଷିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ତାଙ୍କ ମତରେ କୃଷି ଆଗେଇଲେ ହିଁ ଦେଶ ଆଗେଇ ପାରିବ । ଏମିତିକି ଶାସ୍ତ୍ରୀ ନିଜ ବାସ ଭବନରେ ମଧ୍ୟ ଚାଷ କରୁଥିଲେ । ସେ ଯେପରି କୃଷକଙ୍କୁ ଭଲ ପାଉଥିଲେ ସେପରି ଦେଶର ଯବାନ ମାନଙ୍କୁ ମଧ୍ୟ ଭଲପାନ୍ତି । ଏମାନଙ୍କୁ ଦେଶର ମେରୁଦଣ୍ଡ ମାନି ଥାନ୍ତି ସେ । ସେଥିପାଇଁ ସେ ଏକ ବିଖ୍ୟାତ ସ୍ଲୋଗାନ ଦେଇଥିଲେ ‘ଜୟ ଯବାନ’ ଓ ‘ଜୟ କିଷାନ’ । ସବୁବେଳେ ସାଧାରଣ ଲୋକଙ୍କ ବିଷୟରେ ଚିନ୍ତା କରୁଥିବା ଶାସ୍ତ୍ରୀ ଲୋକଙ୍କ ମତାମତକୁ ହିଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭଳି ଗୁରୁତର ପଦର ଭାର ବହନ କରିଥିଲେ |

ସବୁଠୁ ରୋଚକପୂର୍ଣ୍ଣ ହେଉଛି ଶାସ୍ତ୍ରୀ ନିଜ ଜୀବନରେ ମହାତ୍ମା ଗାନ୍ଧୀଙ୍କୁ ହିଁ ନିଜର ଗୁରୁ ଭାବେ ମାନିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁଇ ମହାନ ନେତାଙ୍କ ଜନ୍ମ ଦିନ ଗୋଟିଏ ଦିନରେ ହିଁ ପଡିଥାଏ । ଶାସ୍ତ୍ରୀଙ୍କ ଚିନ୍ତାଧାରା ଗାନ୍ଧୀଙ୍କ ଚିନ୍ତାଧାରା ସହ ମଧ୍ୟ ମିଶିଥାଏ । ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜୀବନରେ ସଚ୍ଚୋଟତା ଓ ନିର୍ଭିକତାକୁ ନିଜର ଶ୍ରେଷ୍ଠ ଧନ ରୂପେ ଗ୍ରହଣ କରିଥିଲେ ଶାସ୍ତ୍ରୀ ।
ତାଙ୍କ ମତରେ ସ୍ୱାର୍ଥପରତା ଦୂର କରି ଦେଶରୁ ଗରିବୀ, ଦାରିଦ୍ର୍ୟତା ହଟାଇବା ପାଇଁ ଉଦ୍ୟମ କରିବା ଉଚିତ । ଶାସ୍ତ୍ରୀ ଏକତା କୁ ଗୁରୁତ୍ୱ ଦେଇଥାନ୍ତି । ଶାସ୍ତ୍ରୀ ସମଗ୍ର ବିଶ୍ୱର ଶାନ୍ତି, ଉନ୍ନତି କରଣ , ବିକାଶକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି । ତାଙ୍କର ଏହି ନୀତି ପାଇଁ ସମଗ୍ର ବିଶ୍ୱରେ ‘ଶାନ୍ତିଦୂତ’ ଭାବେ ଜଣାଯାନ୍ତି ।

ଏହା ସହ ପଢନ୍ତୁ: ‘ଗାନ୍ଧୀ’ ସିନେମା ତିଆରି ପଛରେ ଥିଲା ଯେଉଁ ମାନଙ୍କର ହାତ, ପଢନ୍ତୁ ଏକ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.