ମହାବଳୀଙ୍କ ଭେଟ, ମୋଦି-ଜିନପିଙ୍ଗ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା

କେନ୍ୟଜ୍ (ବ୍ୟୁରୋ): ବର୍ତ୍ତମାନ ସାରା ଦେଶର ନଜର ରହିଛି ତାମିଲନାଡୁର ମହାବଳୀପୁରମ୍‌ ଉପରେ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ। ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦରରୁ ଜିନପିଙ୍ଗ ଯାଇଛନ୍ତି ଆଇଟିସି ଗ୍ରାଣ୍ଡ ହୋଟେଲ। ସେଠାରୁ ସେ ମମଲ୍ଲାପୁରମ୍‌ ଅଭିମୁଖେ ଯିବେ। ଅପରାହ୍‌ଣ ୫ଟାରେ ମୋଦି ଓ ଜିନପିଙ୍ଗ ଏକତ୍ର ଅର୍ଜୁନଙ୍କ ତପସ୍ୟାସ୍ଥଳୀ, ପଞ୍ଚରଥ, ସୋରେ ମନ୍ଦିର ଭଳି ଐତିହ୍ୟସ୍ଥଳ ପରିଦର୍ଶନ କରିବେ। ସଂଧ୍ୟା ୬ଟା ୪୫ରୁ ରାତି ୮ଟା ମଧ୍ୟରେ ରାତ୍ରି ଭୋଜନରେ ଯୋଗ ଦେବେ ଦୁଇ ରାଷ୍ଟ୍ର ମୁଖ୍ୟ। ମୋଦି-ଜିନପିଙ୍ଗଙ୍କ ଏହା ହେବ ୧୫ତମ ସାକ୍ଷାତ। ଦ୍ୱିତୀୟ ଥର ପାଇଁ ଅନୌପଚାରିକ କଥାବାର୍ତ୍ତା କରିବେ ଦୁଇ ରାଷ୍ଟ୍ର ମୁଖ୍ୟ। ଶେଷ ଥର ପାଇଁ ଦୁଇନେତାଙ୍କ ମଧ୍ୟରେ ଚୀନର ବୁହାନ ଠାରେ ୨୦୧୮ ଏପ୍ରିଲ ୨୭ ତାରିଖରେ ଅନୌପଚାରିକ ସାକ୍ଷାତ ହୋଇଥିଲା। ଜିନପିଙ୍ଗଙ୍କ ଗସ୍ତ ପାଇଁ ମମଲ୍ଲାପୁରମ ସହ ଚେନ୍ନାଇରେ ସୁରକ୍ଷା କଡ଼ାକଡ଼ି।

ମୋଦି-ଜିନପିଙ୍ଗଙ୍କ ଭେଟଘାଟ ଏବେ ଗଣମାଧ୍ୟମରେ ଟପ୍‌ ହେଡଲାଇନ୍ସ ହୋଇଛି। ଦୁଇ ଦିନିଆ ଗସ୍ତରେ ମୋଦି-ଜିନପିଙ୍ଗ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବେ। ଏହାସହ ବ୍ୟାବସାୟିକ, ରାଜନୈତିକ ଓ ଆତଙ୍କବାଦ ଉପରେ ବି ଆଲୋଚନା ହୋଇପାରେ। ବାଣିଜ୍ୟକୁ ନେଇ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଉପରେ ଦୁଇ ନେତା କଥାବର୍ତ୍ତା ହେବେ। ସେହିପରି ଭାରତ-ଚୀନ ସୀମାରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଆଲୋଚନା ହେବ। ବର୍ତ୍ତମାନ କାଶ୍ମୀର ପ୍ରସଙ୍ଗ ତାଜା ଥିବା ବେଳେ ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। ଯଦିଓ ଏହି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ନାହିଁ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଚୀନ ଲଗାତାର ଭାବେ ସମର୍ଥନ ଦେଇ ଆସୁଥିବା ବେଳେ ଚୀନ୍‌ର ଆଭିମୁଖ୍ୟକୁ ଭାରତ କଡ଼ା ବିରୋଧ କରି ଆସୁଛି।

 

 

Leave A Reply

Your email address will not be published.