ନିଜ କମ ଉଚ୍ଚତା ଯୋଗୁଁ ପୋଲିସକୁ ବହୁବାର ଚକମା ଦେଇଛନ୍ତି ଏହି ଚୋର, ଜାଣନ୍ତୁ ପୁରା କାହାଣୀ

ଗାଜିଆବାଦ ସ୍ଥିତ ଲୁନା ପୋଲିସ ଅନଲାଇନ ଜରିଆରେ ବାହାନ ଗୁଡିକ ଚୋରି କରୁଥିବା ଗୋଟେ ଗ୍ୟାଙ୍ଗକୁ ନିକଟରେ ଗିରଫ କରିଛି । ଏହା ସହ ମଙ୍ଗଳବାର ତାଙ୍କ ଦ୍ୱାରା ଚୋରି କରାଯାଇଥିବା ୯ଟି କାରକୁ ବି ପୋଲିସ ଜବତ କରିଛି । ଏମିତିରେ ଏହା ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ କିଛି ବିଶେଷ କାରଣରୁ ହିଁ ଏହି ଗ୍ୟାଙ୍ଗ ଅଧିକ ସଫଳତା ପାଇ ପାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗ୍ୟାଙ୍ଗରେ ବିଶେଷ ଭୂମିକା ନିଭେଇଛନ୍ତି ମାତ୍ର ୨.୫ ଫୁଟ ଉଚ୍ଚତାର ଜଣେ ବ୍ୟକ୍ତି । ଯାହାଙ୍କୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ମଧ୍ୟ କୁହାଯାଏ ।

ତାଙ୍କ ନାଁ ହେଉଛି ବେନା । ନିଜ କମ ଉଚ୍ଚତାର ଫାଇଦା ନେଇ ସେ ଗାଡିର କାଚ ଭାଙ୍ଗି ଅତି ସହଜରେ ପଶିଯାନ୍ତି । ପରେ କାରକୁ ନେଇ ଫେରାର ହୋଇଯାନ୍ତି । ସ୍ଥାନୀୟ ଡିଏସପି ରାଜ କୁମାର ପାଣ୍ଡେଙ୍କ ଅନୁଯାୟୀ ପ୍ରାୟ ୨ ବର୍ଷ ପୂର୍ବେ ବେନା ଏହି ଗ୍ୟାଙ୍ଗରେ ଯୋଗ ଦେଇଥିଲା । ତାଙ୍କରି ନାମ ଅନୁସାରେ ହିଁ ଗ୍ୟାଙ୍ଗର ନାଁ ବେନା ଗ୍ୟାଙ୍ଗ ରଖାଯାଇଛି । କିନ୍ତୁ ବେନାଙ୍କ ପ୍ରକୃତ ନାଁ ହେଉଛି ଜାମସେଦ । ତାଙ୍କର ଅନ୍ୟ ସାଥି ମାନେ ହେଲେ ରୋନକ ଓରଫ ବବୁ, ତାଜ ମହମ୍ମଦ ଓରଫ ଚାନ୍ଦ । ବବୁ ଓ ବେନା ପ୍ରକୃତରେ ସମ୍ପର୍କରେ ମାମୁଁ ଭଣଜା । ସାଥି ମାନଙ୍କ ବୟାନରୁ ଜଣାଯାଇଛି ଯେ ବେନା କାର ଚୋରିରେ ମାହିର । ତାଙ୍କ ସାମିଲ ପରେ ହିଁ ଗ୍ୟାଙ୍ଗର ସଫଳତା ବଢ଼ିବାରେ ଲାଗିଛି ।

ଆଗ ଅପେକ୍ଷା ସେମାନେ ଅଧିକ କାର ହାତେଇ ପାରୁଛନ୍ତି । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ସେ କାର ଚୋରି କରିଦେଇପାରେ । ଅତି ଚାଲକିର ସହ ଗାଡି କାଚ ଭାଙ୍ଗି ବେନା କାର ମଧ୍ୟକୁ ପ୍ରବେଶ କରିଥାଏ । ପଶି କାରର ଇଂଗିୟସ ତାଲାକୁ ଭାଙ୍ଗି ଦେଇଥାଏ । ଏହା ପରେ କାରକୁ ମାଷ୍ଟର ଚାବି ଦ୍ୱାରା ବା କାରର ତାର ଗୁଡିକୁ ପରସ୍ପର ସହ ଯୋଡି ତତକ୍ଷଣାତ କାରକୁ ଧରି ଫେରାର ହୋଇଯାନ୍ତି । ଏପର୍ଯ୍ୟନ୍ତ ବେନା ପ୍ରାୟ ୬୦ ଟି କାର ଏହିପରି ଭାବେ ଚୋରି କରିସାରିଲେଣି । ଏହା ପରେ ଚୋରି ହୋଇଥିବା କାରକୁ ନିଜ ସାଙ୍ଗର ୱାର୍କ ଶପକୁ ନେଇଯାନ୍ତି । ସେଠାରେ ଫର୍ଜି ନେମ ପ୍ଲେଟ ଲଗାଇ କାରରେ କିଛି ପରିବର୍ତ୍ତନ କରି ଖାଲି ଥିବା ସ୍ଥାନ ଗୁଡିକରେ ପାର୍କ କରିଥାନ୍ତି । ପରେ ତାଙ୍କର ଏକ ସାଥି ଗ୍ରାହକ ଯୋଗାଡ କରି କାର ଗୁଡିକୁ ବିକିଥାନ୍ତି ।

ଏହା ସହ ପଢନ୍ତୁ: ଆଧୁନିକ ଯୁଗର ଶ୍ରବଣ କୁମାର, ସ୍କୁଟରରେ ବସାଇ ମା’ଙ୍କୁ ପ୍ରାୟ ୪୮ ହଜାର କିଲୋମିଟର କରାଇଲେ ତୀର୍ଥ ଯାତ୍ରା

ଯେଉଁ କାର ଗୁଡିକ ବିକ୍ରି ହୋଇପାରେ ନାହିଁ ସେଗୁଡିକର ପାର୍ଟସ ଗୁଡିକୁ ବାହାର କରାଯାଇ ଦିଲ୍ଲୀର ଏକ କବାଡି ମାର୍କେଟରେ ବିକ୍ରି କରାଯାଇଥାଏ । ବିଭିନ୍ନ ସୂତ୍ରରୁ ସୂଚନା ପାଇ ପୋଲିସ ମଙ୍ଗଳବାର ଏହି ଅନଲାଇନ ଚୋର ମାନଙ୍କ ଏକ ଦଳକୁ ଧରିଥିଲା । ଏହି ଦଳରେ ବେନା ବି ଥିଲେ । ସୂଚନା ଅନୁଯାୟୀ ପୂର୍ବରୁ ବହୁ ସିସି ଟିଭି ଫ୍ରୁଟେଜ ଗୁଡିକରେ ବେନା ସମ୍ପର୍କରେ ସୂଚନା ମିଳିଥିଲେ ମଧ୍ୟ ତାଙ୍କ କମ ଉଚ୍ଚତା ଯୋଗୁଁ ପୋଲିସ ତାକୁ ଛୋଟ ପିଲା ଭାବି ଛାଡି ଦେଇଥାଏ । ଖାଲି ପୋଲିସ ନୁହେଁ ଆଉ କାହାକୁ ମଧ୍ୟ ବେନାଙ୍କ ଉପରେ ସନ୍ଦେହ ହୋଇନଥାଏ । ବହୁ ବାର ପିଲା ଭାବି ପୋଲିସ ତାକୁ ଛାଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.