କାଲି ଭାରତ-ପାକିସ୍ତାନକୁ ଯୋଡ଼ିବ କର୍ତ୍ତାରପୁର କରିଡର, ଉଦ୍‌ଘାଟନ ପୂର୍ବରୁ ପାକ୍‌ର ଚକ୍ରାନ୍ତ

ଆସନ୍ତାକାଲି ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବ । ଏହା ଶିଖମାନଙ୍କର ଏକ ଧର୍ମସ୍ଥଳ ହୋଇଥିବାରୁ ବିଶେଷ ଭାବେ ଭାରତର ଶିଖ ସମ୍ପ୍ରଦାୟର ଲୋକେ ସେଠାକୁ ଦର୍ଶନ ପାଇଁ ଯିବେ । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ପର୍କ ଅତ୍ୟନ୍ତ ତିକ୍ତ । ତଥାପି ଭାରତ ସହ ବୁଝାମଣା ପରେ କର୍ତ୍ତାରପୁର କରିଡରକୁ ଖୋଲାଯାଇଛି । ହେେଲେ ଏସବୁ କରିବା ସତ୍ତ୍ୱେ ପାକିସ୍ତାନ ତାର ବଦମାସୀରୁ ହଟୁନାହିଁ । କର୍ତ୍ତାରପୁର କରିଡର ନିକଟରେ ବିଭିନ୍ନ ଭାରତ ବିରୋଧୀ ପୋଷ୍ଟର ମାରିଛି । ଗୋଟିଏ ପୋଷ୍ଟରରେ ଲେଖା ଯାଇଛି ଯେ ୧୯୭୧ ଯୁଦ୍ଧ ବେଳେ ଭାରତ ଏହି ସ୍ଥାନରେ ବୋମା ପକାଇଥିଲା ।
ଗୁରୁ ନାନକଙ୍କର ୫୫୦ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର କରିଡରକୁ ଖୋଲା ଯାଛି । ତେବେ ଭାରତରୁ ଯାଉଥିବା ଦର୍ଶନାର୍ଥୀଙ୍କ ପାଇଁ ପାକିସ୍ତାନ ପକ୍ଷରୁ ଟିକସ ମଧ୍ୟ ଆଦାୟ ହେବ । ଦର୍ଶନ ପାଇଁ ଜଣେ ଭକ୍ତକୁ ୨୦ ଡଲାର ଦେବାକୁ ହେବ । ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା । ହେଲେ ପାକ୍‌ କର୍ତ୍ତୃପକ୍ଷ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଏମିତିକି ଆସନ୍ତାକାଲି ଉଦ୍‌ଘାଟନ ଦିବସରେ ମଧ୍ୟ ଜଣ ପ୍ରତି ୨୦ ଡଲାର ଆଦାୟ ହେବ । ଅବଶ୍ୟ ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଘୋଷଣା କରିଥିଲେ ଯେ କାହାଠାରୁ ଫି ଆଦାୟ ହେବ ନାହିଁ ।

KARTARPUR-1ସେପଟେ ଭାରତର ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ପାକିସ୍ତାନ ପକ୍ଷରୁ କାଲିର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନର କଂଗ୍ରେସ ନେତା ନଭଯୋତ ସିଂହ ସିଦ୍ଧୁଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି । ବାରମ୍ବାର ଆବେଦନ କରିବା ପରେ ବିବାଦୀୟ ବ୍ୟକ୍ତିତ୍ୱ ସିଦ୍ଧିଙ୍କୁ ସର୍ତ୍ତମୂଳକ ଭାବେ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଅନୁମତି ମିଳିଛି ।
ଭାରତର ପଞ୍ଜାବ ସ୍ଥିତ ଡେରା ବାବା ନାନକକୁ ପାକିସ୍ତାନର ପଞ୍ଜାବ ସ୍ଥିତ କର୍ତ୍ତାରପୁର କରିଡର ସଂଯୋଗ କରିବ । ଯାହା ଅନ୍ତର୍ଜାତୀୟ ସୀମା ଠାରୁ ମାତ୍ର ୪ କିଲୋମିଟର ଦୂର । ଏହି କରିଡର ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନର ପ୍ରଥମ ପଥ ହେବ ବୋଲି କୁହାଯାଉଥିଲେ ମଧ୍ୟ ପାକିସ୍ତାନ ବିଭିନ୍ନ ପ୍ରକାର ଚକ୍ରାନ୍ତ କରି ଭାରତ ବିରୋଧୀ କାର୍ଯ୍ୟ କରି ଚାଲିଛି । ନିକଟରେ ପାକିସ୍ତାନ ପକ୍ଷରୁ କର୍ତ୍ତାରପୁର କରିଡରର ଏକ ଭିଡିଓ ରିଲିଜ୍‌ କରାଯାଇଛି । ଯେଉଁଥିରେ ପଛ ପାଖରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ରହିଛନ୍ତି । ଏହା ବିରୋଧରେ ଭାରତ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି ।
ଏପଟେ ଡେରା ବାବା ନାନକ ଠାରେ ଭାରତ ପକ୍ଷରୁ ଏକ ଚେକପୋଷ୍ଟକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବାଟ ଦେଇ ଭାରତର ଶ୍ରଦ୍ଧାଳୁମାନେ ପାକିସ୍ତାନ ଯିବେ । ତା ପୂର୍ବରୁ ପାକିସ୍ତାନ ସୁଲତାନପୁର ଲୋଧି ଠାରେ ଥିବା ବେର ସାହିବ ଗୁରୁଦ୍ୱାରକୁ ମୋଦି ନିଜର ଶ୍ରଦ୍ଧା ଅର୍ପଣ କରିବେ । ଅବଶ୍ୟ ଏହି କାର୍ଯ୍ୟକ୍ରମ ପାକିସ୍ତାନର ଉଦଘାଟନ ଉତ୍ସବ ପୂର୍ବରୁ କରାଯିବ । ଏ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.