କାର୍ତ୍ତିକ ପୂର୍ଣ୍ଣିମାରେ କଣ କରିବେ ଓ କଣ କରିବେ ନାହିଁ, ପଢନ୍ତୁ ଏହି ରିପୋର୍ଟ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାରେ ବୋଇତ ବନ୍ଦାଣ ପର୍ବ । ଆ-କା-ମା-ବୈ…ରେ ଉଚ୍ଚାରଣରେ ଗୁଞ୍ଜରିତ ହେବ ସାରା ରାଜ୍ୟ । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାକୁ ସବୁଠାରୁ ପବିତ୍ର ପୂର୍ଣ୍ଣିମା ବୋଲି ଧରାଯାଏ । ଏହି ଦିନଟିକୁ ଦେବ ଦୀପାବଳି ଭାବେ ମଧ୍ୟ ପାଳନ କରାଯାଏ । ପୁରାଣ ଅନୁସାରେ ଏହି ଦିନରେ ମହାଦେବ ତ୍ରିପୁରାସୁରକୁ ବଧ କରିଥିଲେ । ଏହି ଦିନରେ ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ । ଏହି ପବିତ୍ର ଦିନରେ ନଦୀ ଜଳରେ ସ୍ନାନ କରି ଦୀପ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ଏବେ ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ କରିବେ ? ସୂର୍ଯ୍ୟୋଦୟ ପୂର୍ବରୁ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବେ । ନଦୀରେ ସ୍ନାନ କଲେ ଭଲ । ଯଦି ଘରେ ସ୍ନାନ କରୁଛନ୍ତି ତେବେ ପାଣିରେ ଗଙ୍‌ଗାଜଳ ମିଶାଇ ସ୍ନାନ କରନ୍ତୁ । ସେ କଦଳୀ ପଟୁକା ହେଉ କିମ୍ବା କାଗଜ ତିଆରି ଡଙ୍ଗା ସେଥିରେ ଦୀପ ଓ ଧୂପ ଦେଇ ପାନ, ଗୁଆ, ଭୋଗ ଆଦି ରଖି ନଦୀ କିମ୍ବା ଜଳାଶୟରେ ଭସାଇ ଦିଅନ୍ତୁ । ନମସ୍କାର ହୋଇ କୁହନ୍ତୁ, ‘‘ଆ-କା-ମା-ବୈ, ପାନ ଗୁଆ ଥୋଇ । ପାନ ଗୁଆ ତୋର, ମାସକ ଧର୍ମ ମୋର’’ ।
ଦିନରେ ଘରେ ବିଷ୍ଣୁ ସହସ୍ର ନାମ ପାଠ କରିବା ସହ ହୋମ ଆଦି କାର୍ଯ୍ୟ କରି ପାରିବେ । ସାରା କାର୍ତ୍ତିକ ମାସ ଭଳି ପୂର୍ଣ୍ଣିମା ଦିନ ଦାନ ଧର୍ମ କଲେ ଆହୁରି ପୁଣ୍ୟ ମିଳିଥାଏ । ଅନ୍ନ, ବସ୍ତ୍ର ସହ ଅନ୍ୟ ସାମଗ୍ରୀ ଦାନ କରନ୍ତୁ । ବିଷ୍ଣୁ ଭଗବାନଙ୍କ ଜପ କରିବା ସହିତ ମନ୍ଦିରରେ, ଓସ୍ତଗଛ ମୂଳେ, ଛକ ସ୍ଥାନ ଓ ତୁଳସୀ ଚଉରା ମୂଳରେ ଏବଂ ନଦୀ କୂଳରେ ଦୀପ ଜଳାନ୍ତୁ । ମଙ୍ଗଳ ହେବ ।
ପୂର୍ଣ୍ଣିମା ଦିନ ବ୍ରାହ୍ମଣ ଏବଂ ଦରିଦ୍ର ତଥା ନିରାଶ୍ରୟଙ୍କୁ ବସ୍ତ୍ର ଦାନ ସହ ଦକ୍ଷିଣା ଦିଅନ୍ତୁ । ଏହି ଦିନରେ ଓସ୍ତ ଗଛରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ତେଣୁ କ୍ଷୀରରେ ମହୁ ମିଶାଇ ଓସ୍ତ ଗଛକୁ ସ୍ନାନ କରାଇ ସେଠାରେ ଦୀପ ଜଳାନ୍ତୁ । ସେହିପରି ସନ୍ଧ୍ୟାରେ ପାଣିରେ କଞ୍ଚା କ୍ଷୀର ମିଶାଇ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ । ଦେଖିବେ ପରିବାରର ମଙ୍ଗଳ ହେବ ।

କଣ କରିବେ ନାହିଁ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମିଷ ଖାଇବେ ନାହିଁ । ଚନ୍ଦ୍ରଙ୍କ କୋପରୁ ବର୍ତ୍ତିବା ପାଇଁ ଏହି ଦିନ ଶାରୀରିକ ସମ୍ପର୍କ ରଖିବେ ନାହିଁ । ଘରେ କୌଣସି କଳିଗୋଳ କରିବା ଅନୁଚିତ । ଦରିଦ୍ର ଓ ଅସହାୟ ଏବଂ ବୟସ୍କ ଲୋକଙ୍କୁ ଅସନ୍ତୁଷ୍ଟ କି ସେମାନଙ୍କୁ ଅପମାନିତ କରିବେ ନାହିଁ । ଏହି ଦିନ ତୁଳସୀ ପତ୍ର ତୋଳିବେ ନାହିଁ କିମ୍ବା ତୁଳସୀ ଗଛ ଓପାଡ଼ିବେ ନାହିଁ । ହରଡ଼ ଓ ମସୁର ଡାଲି, କଲରା, ବାଇଗଣ ଏବଂ କୌଣସି ସବୁଜ ପରିବା ଖାଇବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.