ଆକ୍ରମଣକାରୀଙ୍କ ଗୁଳିରୁ ଅଳ୍ପକେ ରକ୍ଷା ପାଇଲେ ଯବାନ, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ନୁହେଁ, ପର୍ସ ବଞ୍ଚାଇଲା ଜୀବନ

CAA କୁ ନେଇ ଚାଲିଥିବା ଫିରୋଜାବାଦ ଦଙ୍ଗା ବେଳେ ଏକ ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏଠାରେ ସୁରକ୍ଷା ଯୋଗାଉଥିବା ଜଣେ ପୋଲିସ କର୍ମୀ ଡ୍ୟୁଟି ପରେ ଘରକୁ ଫେରିବା ପରେ ତାଙ୍କ ଦେହରେ ଗୁଳିବାଜିଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଗୁଳିଟି ତାଙ୍କ ଶରୀରକୁ ସ୍ପର୍ଶ କରିବା ପୂର୍ବରୁ ପର୍ସ ତାଙ୍କ ଜୀବନ ବଞ୍ଚାଇଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏନେଇ ସେ ଆଦୌ ଜାଣିପାରିନଥିଲେ। ଦୀର୍ଘ ୧୫ ଘଣ୍ଟା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ।

ରିପୋର୍ଟ ମୁତାବକ, ଜୁମା ନମାଜ ପରେ ଶୁକ୍ରବାର ଆରମ୍ଭ ହୋଇଥିବା ଆନ୍ଦୋଳନରେ ଏସ୍‌ଏସ୍‌ପି ସଚିନ୍‌ ପଟେଲ୍‌ଙ୍କ ସହ ବ୍ରିଜେନ୍ଦ୍ର ଓ ଅନ୍ୟ କର୍ମୀ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତେ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ମଧ୍ୟ ପିନ୍ଧିଥିଲେ। ଦଙ୍ଗା ସମୟରେ ଆନ୍ଦୋଳନକାରୀମାନେ ପୋଲିସ ଟିମ୍‌ ଉପରୁ ଆଖିବୁଜା ଗୁଳିଚାଳନା କରିଥିଲେ। ଫାୟାରିଂ ବେଳେ ବ୍ରିଜେନ୍ଦ୍ରଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। କିନ୍ତୁ ପର୍ସ ଯୋଗୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଏନେଇ ଶନିବାର ସେ ଡିଏମ୍‌ ଓ ଏସ୍‌ଏସ୍‌ପିଙ୍କୁ ଜଣାଇଥିଲେ। ଘଟଣାର ତଦନ୍ତ ଚାଲିଛି। ତେବେ ଗୁଳି ବାଜିଥିବା ଜାଣିବା ପରେ ବ୍ରିଜେନ୍ଦ୍ର କହିଛନ୍ତି ଯେ ମୁଁ ପୁନର୍ଜନ୍ମ ପାଇଛି। ଏହି ଗୁଳି ଯୋଗୁ ତାଙ୍କ ଜୀବନ ଚାଲିଯାଇଥାନ୍ତା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶନିବାର ଫିରୋଜାବାଦରେ ପଥର ଫିଙ୍ଗାଳୀମାନେ ପୋଲିସକୁ ଆକ୍ରମଣ କରିଥିଲେ। ଏଥିରେ ଏସ୍‌ଏସ୍‌ପି, ଏସ୍‌ପି, ମାଜିଷ୍ଟ୍ରେଟ୍‌ ଓ ସିଓଙ୍କ ସମେତ ବହୁ ସୁରକ୍ଷା କର୍ମୀ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ୨୧ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ଶନିବାର ରାତି ୧୨ ଟା ପର୍ଯ୍ୟନ୍ତ ବନ୍ଦ ଥିଲା। ମାତ୍ର ଲକ୍ଷ୍ମୌରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ବୋଲି ଜଣାଯାଇଛି। ଏହି ଦଙ୍ଗା ପରେ ଫିରୋଜାବାଦରେ ଦୁଇଟି ଓ ମିରଠରେ ଜଣଙ୍କ ମୃତଦେହ ମିଳିଛି।

Leave A Reply

Your email address will not be published.