ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ବର ବିମାନବନ୍ଦରରେ ପୋଲିସ ଛାଉଣୀ, Z PLUS ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଶପଥ ସମାରୋହ ପାଇଁ ଭୁବନେଶ୍ବର ଆସୁଛନ୍ତି ବହୁ ଭିଭିଆଇପି । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବର ବିମାନବନ୍ଦର । ଟର୍ମିନାଲ ୧ରେ ଆସି ପହଞ୍ଚିବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଭିଭିଆଇପି ଅତିଥି । ଟର୍ମିନାଲ ୨ରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା ବିମାନ ବନ୍ଦର ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିମାନବନ୍ଦରରେ Z PLUS ସୁରକ୍ଷା ବ୍ୟବସ୍ଥା ହୋଇଛି । ଟର୍ମିନାଲ ୨ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କେବଳ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିଭଳି ଟର୍ମିନାଲ ୧ରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଶପଥଗ୍ରହଣ ଉତ୍ସବ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ । ଜଣେ ଆଇଜି, ୨ ଜଣ ଡିଆଇଜି ତଦାରଖ ଦାୟିତ୍ବରେ ରହିବେ। ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର, ୧୮ ଜଣ ଅତିରିକ୍ତ ଏସପି, ୫୮ ଜଣ ଡିଏସପି, ୯୪ ଜଣ ଇନ୍ସିପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ। ସଭାସ୍ଥଳକୁ ଆସିବା ପୂର୍ବରୁ କେଉଁ ଗେଟରେ କାହାର ଏଣ୍ଟ୍ରି ହେବ ସେ ନେଇ ସୂଚନା ଦିଆଯାଇଛି । ଦିନ ୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ଆଜି ଅପରାହ୍ଣ ୨ଟାରୁ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଶେଷହେବା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିଛି ପୋଲିସ । କେବଳ ପାସ୍‌ଧାରୀ ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ଯାନବାହାନ ଯାତାୟାତ କରିପାରିବ ନାହିଁ ।

 

 

 

Leave A Reply

Your email address will not be published.