ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : କେ.ଏଲ୍ ରାହୁଲଙ୍କ ଶତକ ବେକାର, ଶ୍ରେୟଶ ଆୟରଙ୍କ ଅର୍ଦ୍ଧଶତକ ବେକାର ଗଲା । କାରଣ ଗପ୍ଟିଲ, ନିକୋଲସ ଓ ଗ୍ରାଣ୍ଡହୋମ୍ଙ୍କ ଅର୍ଦ୍ଧଶତକ ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ରେ ୨୯୬ ରନ୍ କରିଥିଲା । ହେଲେ ନ୍ୟୁଜିଲାଣ୍ଡ ୪୭.୧ ଓଭର୍ରେ ୫ ଓ୍ଵିକେଟ୍ ହରାଇ ୩୦୦ ରନ୍ କରି ଜୋରଦାର ବିଜୟ ହାସଲ କରିଛି । ଏହି ବିଜୟ ସହ ୩-୦ରେ ସିରିଜ୍ ହାତେଇବା ସହିତ କୋହଲି ବାହିନୀ ଠାରୁ ଘରୋଇ ଦଳ ଟି-୨୦ ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି ।
ଭାରତ ପକ୍ଷରୁ ପୃଥ୍ଵୀ ସ ୪୨ ବଲ୍ରେ ୪୦ ରନ୍ (୩ ଚୌକା, ୨ ଛକା), ଆୟର ୬୩ ବଲ୍ରେ ୬୨ ରନ୍ (୯ ଚୌକା), ରାହୁଲ ୧୧୩ ବଲ୍ରେ ୧୧୨ ରନ୍ (୯ ଚୌକା, ୨ ଛକା) ଏବଂ ମନୀଷ ପାଣ୍ଡେ ୪୮ ବଲ୍ରେ ୪୨ ରନ୍ ସ୍କୋର୍ କରିଥିଲେ । ମୟଙ୍କ ଅଗ୍ରଓ୍ଵାଲ ୧ ଏବଂ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍ କରି ପାରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ବେନେଟ୍ ନେଇଥିଲେ ୪ଟି ଓ୍ଵିକେଟ୍ । ନ୍ୟୁଜିଲାଣ୍ଡ ବ୍ୟାଟିଂରେ ଗପ୍ଟିଲ୍ ୪୬ ବଲ୍ରୁ ୬୬ ରନ୍ (୬ ଚୌକା, ୪ ଛକା), ନିକୋଲସ୍ ୧୦୩ ବଲ୍ ଖେଳି ୮୦ ରନ୍ (୯ଚୌକା), ଲଥାମ୍ ୩୨ ଏବଂ ଗ୍ରାଣ୍ଡହୋମ୍ ଅପରାଜିତ ୫୮ ରନ୍ ( ୨୮ ବଲ୍, ୬ ଚୌକା ଓ ୩ ଛକା) କରିଥିଲେ ।
ହେନରୀ ନିକୋଲସ୍ ମ୍ୟାନ୍ ଅଫ ଦି ମ୍ୟାଚ୍ ଏବଂ ରଜ୍ ଟେଲର୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି । କୋହଲିଙ୍କ ଅଧିନାୟକତ୍ୱରେ ପ୍ରଥମଥର ଭାରତ ସବୁ ମ୍ୟାଚ୍ ସହ ସିରିଜ୍ ହାରିଛି ।