କ୍ରିପ୍ଟୋ କରେନ୍ସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା। ଭାରତର ସର୍ବୋଚ୍ଚ କୋର୍ଟ କ୍ରିପ୍ଟୋ କରେନ୍ସିକୁ ନେଇ ଶୁଣାଣି କରିବା ଅବସରରେ ଏଥିରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇଦେଇଛନ୍ତି। ଏବେ ଦେଶର ସମସ୍ତ ବ୍ୟାଙ୍କ ଏହାର ନେଣଦେଣ କରିପାରିବେ। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ସର୍କୁଲାର ଜାରି କରି ବ୍ୟାଙ୍କକୁ କ୍ରିପ୍ଟୋ କରେନ୍ସିର କାରବାର କରିବାକୁ ମନା କରି ଦେଇଥିଲା। ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭାରତୀୟ ମଧ୍ୟ ବିଟ୍ କଏନ୍ ଭଳି କ୍ରିପ୍ଟୋ କରେନ୍ସି କିଣା ବିକା କରିପାରିବେ।
ଆରବିଆଇର ସର୍କୁଲାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ (IAMAI)ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। କୋର୍ଟରେ ଶୁଣାଣି ବେଳେ IAMAI କହିଥିଲା ଯେ କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଦ୍ୱାରା କ୍ରିପ୍ଟୋ କରେନ୍ସିରେ ହେବାକୁ ଥିବା ବୈଧ କାରବାର ଗତିବିଧି ଉପରେ କଟକଣା ଲାଗିଛି। ଏହାର ଉତ୍ତରରେ ଆରବିଆଇ କୋର୍ଟରେ ଆଫିଡେଭିଟ୍ ଦାଖଲ କରିଥିଲା। ଆରବିଆଇ କହିଥିଲା ଯେ ସେ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ମନି ଲଣ୍ଡ୍ରିଂ ଓ ଆତଙ୍କି ବିତ୍ତ ପୋଷଣର କ୍ଷତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛି।
କ୍ରିପ୍ଟୋ କରେନ୍ସି କ’ଣ?
କ୍ରିପ୍ଟୋ କରେନ୍ସି ହେଉଛି ବ୍ଲକ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ ଏକ ଡିଜିଟାଲ କରେନ୍ସି। ଟେକ୍ନୋଲୋଜିକୁ ଏନ୍କୋଡ୍ କରିବାକୁ ଏହି କରେନ୍ସି ବ୍ୟବହୃତ ହୋଇଥାଏ। ଏହି ଟେକ୍ନୋଲୋଜି ମାଧ୍ୟମରେ କରେନ୍ସିର ଟ୍ରାନ୍ଜାକ୍ସନ୍ ସମ୍ପୂର୍ଣ୍ଣ ଭାବେ ଅଡିଟ୍ ହୋଇଥାଏ, ଫଳରେ ଏହାକୁ ହ୍ୟାକ୍ କରିବା କଷ୍ଟକର ହୋଇଥାଏ। ଏହି କାରଣରୁ କ୍ରିପ୍ଟୋ କରେନ୍ସିରେ କୌଣସି ହେରଫେର କରିବାର ଆଶଙ୍କା କମ୍ ଥାଏ। ତେବେ ଏହାର ଏକ ନକାରାତ୍ମକ ଦିଗ ହେଉଛି ଏହାର ପରିଚାଳନ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ହୋଇନଥାଏ।