ମଧ୍ୟପ୍ରଦେଶ ରାଜନୀତି ସଙ୍କଟର ଅବସାନ ଘଟିଲା, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବହୁମତ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟର ଅବସାନ ଘଟିଛି । ଆସନ୍ତାକାଲି ଗୃହରେ ବହୁମତ ସାବ୍ୟସ୍ଥ କରିବାକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଭିଡିଓ ରେକର୍ଡ କରାଯିବା ପାଇଁ ମଧ୍ୟ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ମଧ୍ୟପ୍ରଦେଶରେ ସରକାର ଗଠନ ନେଇ ଆଶା ସୃଷ୍ଟି ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ଅଭିଶେକ ମନୁ ସିଂହଭି ଅଦାଲତରେ ଯୁକ୍ତି ବାଢ଼ିଥିଲେ । ସେ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ ବହୁମତ ହେବ କି ନାହିଁ ଏହା ବାଚସ୍ପତ୍ତିଙ୍କ ଉପରେ ନିର୍ଭର କରେ । ତେବେ ଏପରିସ୍ଥିତିରେ ବାଚସ୍ପତି କଣ କରିବା କଥା ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ବାଚସ୍ପତିଙ୍କୁ ଅଧିକ ସମୟ ଦିଆଯିବା ଉଚିତ ବୋଲି ସିଂହଭି କହିଥିଲେ ।

 

ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୬ ବିଧାୟକଙ୍କ ଇସ୍ତପା କାହିଁକି ସ୍ୱୀକାର କଲେ ନାହିଁ ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ । ଏହାଛଡ଼ା ମାର୍ଚ୍ଚ ୧୬ ତାରିଖରେ ବଜେଟ ଉପସ୍ଥାପିତ ନହେବା ଦ୍ୱାରା ରାଜ୍ୟର କାର୍ଯ୍ୟ କିପରି ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

ଖଣ୍ଡପୀଠ ଆହୁରି କହିଥିଲେ ଯେ କେଉଁ ଦଳର ବହୁମତ ଅଛି ଏହା ସ୍ଥିର କରିବା ବିଧାୟକଙ୍କ କାମ । ତେବେ ସାମ୍ବିଧାନିକ ଅଦାଲତ ଆଇନ ଅନୁଯାୟୀ ଆମେ ଆମର କର୍ତ୍ତବ୍ୟ କରୁଛୁ ବୋଲି ଖଣ୍ଡପୀଠ କହିଥିଲେ ।

ପିଟିସନରଙ୍କ ପକ୍ଷରୁ ମୁକୁଲ୍‌ ରୋହତଗୀ ଯୁକ୍ତି ବାଢ଼ିଥିଲେ ଯେ ବିଧାୟକମାନଙ୍କ ଇସ୍ତପା ପରେ ସରକାର ଅଳ୍ପ ସଂଖ୍ୟକ ହୋଇଯାଇଛି । ତେଣୁ ସରକାରଙ୍କୁ ବହୁମତ ସାବ୍ୟସ୍ଥ କରିବାକୁ ପଡ଼ିବ ବୋଲି ରୋହତଗୀ ଯୁକ୍ତି ବାଢ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.