ନୂଆଦିଲ୍ଲୀ : ଦେଶରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି । ପ୍ରତିଦିନ ଶହ ଶହ ଜୀବନ ନେଉଛି ଘାତକ ଭାଇରସ୍ । କରୋନା ମୃତୁସଂଖ୍ୟା ୧୭୮୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୫ ହଜାର ୯୦୨ । ସୁସ୍ଥ ହେଲେଣି ୧୫ ହଜାର ୨୬୭ଜଣ ।
ଅପରପଟେ ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୬ ହଜାର ୭୫୮ଜଣ ଆକ୍ରାନ୍ତ ହୋଇଛନ୍ତି । ୬୫୧ ମୁଣ୍ଡ ନେଲାଣି ଭୟଙ୍କର କରୋନା । ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ଥିବା ଗୁଜରାଟରେ ମୋଟ ୬ ହଜାର ୬୨୫ ଆକ୍ରାନ୍ତ ହୋଇଛନ୍ତି । ଗଲାଣି ୩୯୬ ଜୀବନ । ସେହିପରି ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନରେ ବି ସ୍ଥିତି ଉଦବେଗଜନକ ରହିଛି । ଏହି ସଂକ୍ରମଣକୁ ରୋକିବା ପାଇଁ ପୁରା ଦେଶ ଲକଡାଉନ ସହ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।