ନିଜ ପିଲା ପାଇଁ ବାପା ମା’ ସବୁକିଛି। କେବେ କ’ଣ କୌଣସି ବାପା ଆଉ କାହା କଥାରେ ନିଜ ପିଲାକୁ ହତ୍ୟା କରିପାରେ ? ତା’ ପୁଣି ଗୋଟେ କି ଦୁଇଟି ନୁହଁ ପାଞ୍ଚଟି ପିଲାଙ୍କର। ହୁଏତ ନା ! କିନ୍ତୁ ହରିଆନା ଡିଡବାଡା ଗାଁରେ ଜଣେ ବ୍ୟକ୍ତି ନିଜ ୫ଟି ଜନ୍ମିତ ପିଲାକୁ କୌଣସି ତାନ୍ତ୍ରିକ କଥାରେ ହତ୍ୟା କରିଛନ୍ତି। ଖବରଟି ଶୁଣିଲା ପରେ ହୁଏତ ଆପଣଙ୍କ ମନ ବିଚଳିତ ହେଉଥିବ। ଭାବୁଥିବେ କେମିତି ଜଣେ ବାପା ନିଜ ପିଲାଙ୍କୁ ହତ୍ୟା କରିପାରେ।
ଗତକାଲି ଜଣେ ବାପା ପିଲାର ଅନଲାଇନ କ୍ଲାସ ପାଇଁ ଏକମାତ୍ର ସମ୍ବଳ ଗାଈକୁ ବିକି ଦେଇଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ବ୍ୟକ୍ତି ଜଣକ ଗାଈ ବିକି ଯେଉଁ ପଇସା ଆଣିଲେ, ସେଥିରେ ସ୍ମାର୍ଟଫୋନ କିଣିଥିଲେ। କିନ୍ତୁ ତାଙ୍କ ବଞ୍ଚିବାର ସାହାରାକୁ ବିକି ଦେଇଥିଲେ। ଏଭଳି ଘଟଣା ହିମାଚଳପ୍ରଦେଶର କାଙ୍ଗଡାରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ଏଭଳି ଦୃଶ୍ୟ ହରିଆନାରୁ ଦେଖିବାକୁ ମିଳିଛି। ଯାହା ବିଷୟରେ ଶୁଣିଲେ ଆପଣଙ୍କ ଦେହ ଶିହରୀ ଉଠିବ। ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।
ହରିଆନାର ଡିଡବାଡା ଗାଁରେ ଜଣେ ପିତା ତାନ୍ତ୍ରିକ କହିବାନୁସାରେ ୫ ବର୍ଷରେ ୫ଟି ପିଲାକୁ ହତ୍ୟା କରିଛି। ଏହି ଗାଁ ନିବାସୀ ଜୁମ୍ମା କୌଣସି ତାନ୍ତ୍ରିକର କହିବାନୁଯାୟୀ, ନିଜର ୫ ପିଲାଙ୍କୁ ହତ୍ୟା କରିଦେଇଥିଲା। ଏମାନଙ୍କ ମଧ୍ୟରେ ତିନି ଜଣ ଝିଅ ,ବଂ ୨ ପୁଅ ରହିଥିଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡରେ ମରିଥିବା ସବୁ ପିଲାଙ୍କ ବୟସ ୧୧ ବର୍ଷରୁ କମ୍। ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଗାଁର ଆଉ ଦୁଇ ଯୁବତୀ ଗାଏବ ହୋଇଥିଲେ। ଆଶ୍ଚର୍ଯ୍ୟକର କଥା ହେଲା, ଏହି ଘଟଣା ଘଟାଇବା ପରେ ଆରୋପୀ ନିଜେ ଗାଁ ପଞ୍ଚାୟତ ସାମ୍ନାରେ ନିଜର ଦୋଷ ସ୍ୱୀକାର କରିବା ପରେ ଗ୍ରାମବାସୀ ପୋଲିସକୁ ଡାକି ଆରୋପୀଙ୍କୁ ଧରାଇଥିଲେ।
ଅଭିଯୁକ୍ତକୁ ଧରିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଆରୋପୀ କହିବାନୁଯାୟୀ, ସେ ବହୁ ଗରିବ ଥିଲା, ତେଣୁ ତାନ୍ତ୍ରିକ କହିବାନୁଯାୟୀ ଏଭଳି ଘଟଣା ଘଟାଇଥିଲା। କିନ୍ତୁ ଏହି ବୀଭତ୍ସ ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ରହିଛନ୍ତି ପୋଲିସ ତାହାର ତଦନ୍ତ କରୁଛି।