କୁହାଯାଏ ଘର ହେଉଛି ମନ୍ଦିର, ଘର ସ୍ୱର୍ଗ । ଭଲ ଘରଟିଏ ତିଆରି କରିବାକୁ ଯେ କେହି ସ୍ୱପ୍ନ ଦେଖିଥାନ୍ତି । ଏଥିପାଇଁ କାହାକୁ କେତେ ବର୍ଷ ବି ଲାଗିଯାଏ । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଭିଏତନାମର ଯିଏ କି ତାଙ୍କର ସ୍ୱପ୍ନର ଘର ତିଆରି କରିବାରେ ୨୫ ବର୍ଷ ଲଗାଇ ଦେଇଛନ୍ତି ।
ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ । ବ୍ୟକ୍ତି ଜଣକ ହେଉଛନ୍ତି ଭିଏତ୍ନାମ୍ର ପୂର୍ବତନ ସୈନିକ ନେଓ୍ଵନ୍ ବାଗ୍ ତ୍ରୁଙ୍ଗ୍ । ସେ ସେନାରୁ ଅବସର ନେବା ପରେ ପରିବାର ଧରି ଗାଁକୁ ଚାଲି ଆସିଲେ । ଗାଁରେ ବଢ଼େଇ କାମ କରି ନିଜର ପରିବାର ପ୍ରତିପୋଷଣ କରିବାକୁ ଲାଗିଲେ । ହେଲେ ତାଙ୍କର ଆଣ୍ଟିକ୍(ପୂରୁଣା ଜିନିଷ) ସଂଗ୍ରହ କରିବା ଥିଲା ବହୁତ ବଡ ସୈାକ୍ ।
ସେ ବିଭିନ୍ନ ସ୍ଥାନ ବୁଲି ପୂରୁଣା ଜିନିଷ ଓ ବିଭିନ୍ନ ଡିଜାଇନର ପୂରୁଣା ପଥରମାନ ସଂଗ୍ରହ କରିବାକୁ ଲାଗିଲେ । ଏପରିକି ସାରା ଦେଶ ବୁଲି ପୂରୁଣା ଜିନିଷଗୁଡ଼ିକୁ ଏକାଠି କଲେ । ଏଥିରେ ନିଜର ପୁଞ୍ଜି ସରିବା ପରେ ସେ ଧାର ଉଧାର କରି ମଧ୍ୟ ପଇସା ଲଗାଇଲେ । ତାଙ୍କର ଏହି ସଂଗ୍ରହ ମଧ୍ୟରେ ୧୭ ଓ ୧୮ ଶତାବ୍ଦିର ଜନିଷମାନ ଥିବା ଜଣାଯାଇଛି ।
ଘର ଲୋକେ ଏଥିରେ ବହୁତ ବିରକ୍ତ ପ୍ରକାଶ କଲେ ମଧ୍ୟ ସେ ତାଙ୍କ ଲକ୍ଷ୍ୟରୁ ଓହରି ନଥିଲେ । ତାଙ୍କର ଇଚ୍ଛା ଥିଲା ଏହି ସବୁ ଆଣ୍ଟିକ୍ ଦ୍ରବ୍ୟର ଭଲ ଦି ପଇସା ମିଳିବ । ହେଲେ ସେଗୁଡ଼ିକ କେହି ନନେବାରୁ ଶେଷରେ ତା’କୁ ନିଜ ଘରେ ଲଗାଇବାକୁ ମନସ୍ତ କଲେ । ନେଓ୍ଵନ୍ ଏହାକୁ ଘରର କାନ୍ଥ, ଗେଟ୍ ଓ ବିଭିନ୍ନ ସ୍ଥାନରେ ଟାଇଲ୍ ଭଳି ଲଗାଇ ଘରର ଯେଉଁ ପ୍ରତି ଛବି ବନାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।
ସାଧାରଣ ଆଜ୍ବେସ୍ଟସ୍ ଘର ହୋଇଥିଲେ ମଧ୍ୟ ଏହାର କାନ୍ଥରେ ଚୀନା ମାଟିରେ ତିଆରି ୧୦ ହଜାରରୁ ଅଧିକ ବିଭିନ୍ନ ପୂରୁଣା ପ୍ଲେଟ୍ ଓ ପଥର ଲଗାଯାଇଛି । ଯାହାର ଦୃଶ୍ୟ ଅତି ମନୋରମ ହୋଇଛି । ନେଓ୍ଵନଙ୍କର ଏହି ସ୍ୱପ୍ନର ଘର ଏବେ ସୋସିଆଲ୍ ମିଡିଆରେ ସେୟାର ହେବାରେ ଲାଗିଛି । ଘରର ଏହି କଳାକୃତିକୁ ଲୋକେ ବହୁତ ତାରିଫ କରୁଥିବା ଦେଖିବାକୁ ମିଳୁଛି । ଏହା ଜାଣିବା ପରେ ତାଙ୍କର ଦୀର୍ଘ ୨୫ ବର୍ଷର ସ୍ୱପ୍ନ ସାକାର ହେଲା ବୋଲି ସେ କହିଛନ୍ତି ।