ବେଜିଂ : ଚୀନ୍ର ବୁହାନ୍ ସହରରୁ ସୃଷ୍ଟ କରୋନା ଭାଇରସ୍ ବିଶ୍ୱର ୨୦୦ ଦେଶକୁ କବଳିତ କରିଛି । ଏଥିରେ ଆମେରିକା, ବ୍ରିଟେନ୍ ଓ ଋଷ ଭଳି ଦେଶ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଭାରତ ଓ ବ୍ରାଜିଲ୍ରେ ଏବେ ପ୍ରତିଦିନ କରୋନା ମାମଲା ରେକର୍ଡ ସଂଖ୍ୟକ ଆସୁଛି । ଚୀନ୍ରେ କରୋନା ଭାଇରସ୍ ସମାପ୍ତ ହୋଇ ନଥିବା ବେଳେ ଏବେ ପୁଣି ‘ଏସଏଫ୍ଟିଏସ୍’ ନାମରେ ଆଉ ଏକ ଭାଇରସ ମିଳିଥିବା ଖବର ଜଣାପଡ଼ିଛି ।
ଏହି ଭାଇରସ୍ରେ ଏପର୍ଯ୍ୟନ୍ତ ୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ୬୦ ଜଣ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କରୋନା ଆତଙ୍କ ଟଳି ନଥିବା ବେଳେ ଏହି ନୂଆ ଭାଇରସ୍ ଏବେ ଚୀନ୍ବାସୀଙ୍କ ନୀଦ ହଜେଇ ଦେଇଛି । ଚୀନ୍ ସରକାରି ମିଡିଆ ବୁଧବାର ଏସମ୍ପର୍କରେ ଆଶଙ୍କା ପ୍ରକାଶ କରିଛି ।
ସୂଚନାନୁଯାୟୀ, ଜିୟାଂଗୁସ୍ ଅଞ୍ଚଳରେ ଏପର୍ଯ୍ୟନ୍ତ ଏସ୍ଟିଏଫ୍ ଭାଇରସ୍ରେ ୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ଅହ୍ନଇ ଅଞ୍ଚଳରେ ୨୩ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି । ଚୀନ୍ର ସ୍ୱାସ୍ଥ୍ୟ ଏଜେନ୍ସି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଜିୟାଂଗୁସ୍ ଅଞ୍ଚଳରେ ଜଣେ ମହିଳା ଏସଏଫ୍ଟିଏସ୍ ଭାଇରସ୍ରେ ସଂକ୍ରମିତ ହୋଇ ଗୋଟିଏ ମାସ ଚିକିତ୍ସା ପରେ ଏବେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି ।
ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏସ୍ଟିଏଫ୍ ଭାଇରସ୍ କିଛି ନୂଆ ଭାଇରସ୍ ନୁହେଁ । ୨୦୧୧ ମସିହାରେ ଏହା ଚୀନ୍ରେ ଜଣା ପଡିଥିଲା । ଏହି ଭୁତାଣୁ ପଶୁଙ୍କ ଦେହରେ ଲାଗିଥିବା ଏକ ପ୍ରକାରର କୀଟ ମାଧ୍ୟମରୁ ମଣିଷ ଦେହକୁ ସଂକ୍ରମିତ ହୋଇଥାଏ ।
ପରେ ଏହା ମଣିଷ ଦେହରୁ ଅନ୍ୟ ମଣିଷକୁ ଦେହକୁ ଡେଇଁ ଚାଲିଥାଏ ବୋଲି ଭୁତାଣୁ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ଉତ୍ତର ଚୀନ୍ରେ ବ୍ୟୁବନିକ ପ୍ଲେଗ୍ର ସଂକମଣ ନେଇ ଚୀନ୍ ସରକାର ଚେତାବନୀ ଦେଇଥିଲେ । ଏଥିରେ ମଙ୍ଗୋଲିଆର ଜଣେ ୧୫ ବର୍ଷ ବୟସ୍କ ଯୁବକଙ୍କ ପ୍ରାଣହାନୀ ଘଟିଥିଲା । ତେବେ ସଂକ୍ରମଣକୁ ଚୀନ୍ ଚପାଇ ଦେବାରେ ସଫଳ ହୋଇଥିଲା ।