‘ଡଟର୍ସ ଡେ’ର ଠିକ୍ ଦୁଇ ଦିନ ପରେ ଭାରତରେ ଆଉ ଗୋଟିଏ ଝିଅର ଜୀବନ ଅତି ନିର୍ମମ ଭାବରେ ଶେଷ କରି ଦିଆଗଲା ।ଉତ୍ତରପ୍ରଦେଶର ହାଥରସରେ ଜଣେ 19 ବର୍ଷୀୟ ଦଳିତ ଝିଅକୁ ଗଣଦୁଷ୍କର୍ମ କରି ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା । 15 ଦିନ ପରେ ପୀଡିତାଙ୍କ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗତ ଦୁଇ ମାସ ମଧ୍ୟରେ ଉତ୍ତରପ୍ରଦେଶରେ ଏହା ହେଉଛି ପଞ୍ଚମ ଘଟଣା ଯେଉଁଠି ଜଣେ ଝିଅର ବଳାତ୍କାର ପରେ ମୃତ୍ୟୁ ଘଟିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଝିଅମାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ଦଳିତ ସମ୍ପ୍ରଦାୟର ।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, 2019 ରେ ଭାରତରେ ପ୍ରତିଦିନ 88 ବଳାତ୍କାର ମାମଲା ରୁଜୁ ହୋଇଥିଲା । 2019 ମସିହାରେ ଦେଶରେ ସମୁଦାୟ 32,033 ବଳାତ୍କାର ମାମଲା ରୁଜୁ ହୋଇଥିଲା, ଯେଉଁଥିରୁ 11 ପ୍ରତିଶତ ପୀଡ଼ିତା ଦଳିତ ସମ୍ପ୍ରଦାୟର ।
ବଳାତ୍କାର ହୋଇଥିବା ପୀଡ଼ିତାଙ୍କୁ ସମର୍ଥନ କରୁଥିବା ଏକ ସଂଗଠନ ପିପୁଲ୍ ଆଣ୍ଟି ରେପ୍ସ ଅଫ୍ ଇଣ୍ଡିଆର ଯୋଗୀ ଭାୟାନାଙ୍କ କହିବା ଅନୁଯାୟୀ “ଦଳିତ ସମ୍ପ୍ରଦାୟର ମହିଳାମାନେ ଅଧିକ ଅସୁରକ୍ଷିତ। ଜାତି ହେତୁ ସେମାନେ ଅନେକ ସାମାଜିକ ଚାପର ସମ୍ମୁଖୀନ ହୁଅନ୍ତି । ସେ ବଳାତ୍କାର ମାମଲାରେ ରିପୋର୍ଟ ଦାଖଲ କରିବାକୁ ଦ୍ୱିଧା କରନ୍ତି । ଯଦିଓ ସେମାନେ ଏଫ୍ଆଇଆର କରିବାକୁ ସାହସ କରନ୍ତି, ଅଧିକାଂଶ ପୋଲିସ୍ ଷ୍ଟେସନରେ କେହି ସେମାନଙ୍କ କଥା ଶୁଣନ୍ତି ନାହିଁ । ସେମାନଙ୍କ ପ୍ରତି ପୋଲିସର ଏହି ଉଦାସୀନତାର କାରଣ ସେମାନେ ନିମ୍ନ ଜାତିର ଅଟନ୍ତି । ଏବେ ସମୟ ଆସିଛି ବର୍ତ୍ତମାନ ସବୁ ସ୍ତରରେ ପୋଲିସ ପାଇଁ gender sensitization ଅଭିଯାନ କରାଯାଉ। ”
ଏନସିଆରବି ରିପୋର୍ଟ ଅନୁଯାୟୀ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ବଳାତ୍କାର ମାମଲା ରହିଛି । 2019 ରେ ରାଜସ୍ଥାନରେ ପ୍ରାୟ 6,000 ବଳାତ୍କାର ମାମଲା ଏବଂ ଉତ୍ତରପ୍ରଦେଶରେ 3,065 ମାମଲା ରୁଜୁ ହୋଇଥିଲା । ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଦଳିତ ସମ୍ପ୍ରଦାୟ ବିରୋଧରେ ଯୌନ ହିଂସା ବୃଦ୍ଧି ପାଇଛି, ଯେଉଁଠାରେ ଏହାକୁ ଅତ୍ୟାଚାରର ଅସ୍ତ୍ର ଭାବେ ବ୍ୟବହାର କରାଯାଏ । ଉତ୍ତରପ୍ରଦେଶରେ ରେଜିଷ୍ଟାର ହୋଇଥିବା ବଳାତ୍କାର ମାମଲା ମଧ୍ୟରୁ 18% ପୀଡ଼ିତା ହେଉଛନ୍ତି ଦଳିତ ମହିଳା । ରାଜସ୍ଥାନରେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକର ଏହି ସଂଖ୍ୟା ପ୍ରାୟ ଦୁଇଗୁଣ ଅଟେ ।
NCRB ତଥ୍ୟ ଦର୍ଶାଉଛି ଯେ ଗତ 10 ବର୍ଷ ମଧ୍ୟରେ ମହିଳାଙ୍କୁ ବଳାତ୍କାର ହେବାର ଆଶଙ୍କା 44 ପ୍ରତିଶତ ବୃଦ୍ଧି ପାଇଛି । ଅନୁଷ୍ଠାନର ତଥ୍ୟ ଅନୁଯାୟୀ, 2010 ରୁ 2019 ମଧ୍ୟରେ ସମଗ୍ର ଭାରତରେ ସମୁଦାୟ 3,13,289 ବଳାତ୍କାର ମାମଲା ରୁଜୁ ହୋଇଛି ।