ହକି ଷ୍ଟାଡିୟମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କାଲି କେବିସିସିରେ ବସିବେ ହକି ଖେଳାଳି

ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ବିଶ୍ବ କପ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ହକି ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳା ଯାଇଥିଲା । ଏଥିରେ ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ଦିଲୀପ ତିର୍କି ଓ ଧନରାଜ ପିଲ୍ଲେଙ୍କ ଦଳ ମୁହାଁମୁହିଁ ହୋଇଥିଲେ । ଏଥିରେ ଦିଲୀପଙ୍କ ଦଳ ୨-୧ ଗୋଲରେ ବିଜୟୀ ହୋଇଥିଲା । ଦ୍ବିତୀୟାର୍ଦ୍ଧରେ ଦିଲୀପ ତିର୍କିଙ୍କ ଦଳ ୨ଟି ଏବଂ ଧନରାଜ ପିଲ୍ଲେଙ୍କ ଦଳ ଗୋଟିଏ ଗୋଲ୍ ସ୍କୋର କରିଥିଲା । ଦିଲୀପଙ୍କ ଦଳ ତରଫରୁ ଦୀପକ ଠାକୁର ୨ଟି ଏବଂ ଧନରାଜଙ୍କ ଦଳର ଗୁରଜିତ ସିଂହ ଗୋଲ୍ ଦେଇଥିଲେ ।

stadium-1

ହକି ବିଶ୍ୱକପ୍‌କୁ ଆଉ ୪୮ ଦିନ ରହିଲା । ଏହାର ପ୍ରଚାର ପ୍ରସାର ଜୋରଦାର ଭାବରେ ଚାଲିଛି । ଏ. ଆର୍‌. ରେହମାନ୍‌, କିଙ୍ଗ ଖାନ୍‌ଙ୍କ ପରେ ହକି ସହ ଯୋଡ଼ି ହୋଇଛନ୍ତି ବିଗ୍‌ ବି । ଆସନ୍ତାକାଲି କୌନ୍‌ ବନେଗା କରୋଡ ପତି ବା କେବିସି ଏପିସୋଡରେ ନଜର ଆସିବେ ଭାରତୀୟ ପୁରୁଷ ହକି ଟିମ୍‌ । ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟ୍‌ରେ ବସିବେ ଖେଳାଳି । ବିଗ୍‌ ବିଙ୍କ ପ୍ରଶ୍ନର ଉତ୍ତର ଦେବେ । ଆସନ୍ତାକାଲି ରାତି ୯ଟାରେ ପ୍ରସାରିତ ହେବ କେବିସି କର୍ମବୀର ଏପିସୋଡ । କେବିସି କର୍ମବୀର ଏପିସୋଡରେ ବିଗ୍‌ ବିଙ୍କ ସହ ହଟ୍‌ ସିଟ୍‌ରେ ନଜର ଆସିବେ ଅଧିନାୟକ ପି. ଆର୍‌. ଶ୍ରୀଜେଶ, ମନପ୍ରୀତ ସିଂହଙ୍କ ସମେତ ଆଉ କିଛି ଖେଳାଳି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଉଦଘାଟନୀ ଉତ୍ସବରେ ଏ.ଆର. ରେହମାନ ସଙ୍ଗୀତ ପରିବେଷଣ କରିବେ । ସେହିପରି ଉଦଘାଟନୀ ସମାରୋହରେ ସାମିଲ ହେବେ କିଙ୍ଗ ଖାନ୍‌ ଶାହରୁଖ, ଖିଲାଡି ଷ୍ଟାର ଅକ୍ଷୟ କୁମାର । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.