ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
କେନ୍ୟୁଜ (ବ୍ୟୁରୋ) : ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବାକୁ ପଡିବ ନାହିଁ । ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍ କଲେ, ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କରିପାରିବେ । ଫାଇଭ-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଉଛି।
ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ନବୀନ। କହିଛନ୍ତି ଏହା ଦ୍ୱାରା ହିଁ, ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇ ହେବ। ସେପଟେ ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇ ପାରିବେ। ଏହି ପୋର୍ଟାଲ ଉନ୍ମୋଚନ କରି ନବୀନ କହିଥିଲେ, ଆନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢିବା ସହ ଜାତିଗତ ବାଛବିଚାର ହ୍ରାସ ହେବ।