ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ସୁଲୋଚନା, ତଥାପି ଜୀବନ ଜୀବିକା ବଞ୍ଚାଇବା ପାଇଁ କରିଚାଲିଛନ୍ତି ସଂଘର୍ଷ

ସାଲେପୁର: ଜୀବନ ଜୀବିକା ବଞ୍ଚାଇବା ପାଇଁ ସମସ୍ତଙ୍କୁ କଷ୍ଟ କରିବାକୁ ପଡ଼ିଥାଏ । ଏହା ଭିତରେ ଯଦି ପ୍ରଗାଢ ଇଚ୍ଛା ଶକ୍ତି ଥାଏ ତେବେ ହାର ମାନିଥାଏ ସବୁ ପ୍ରତିବନ୍ଧକ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ସୌରି ଜାହଙ୍ଗିରାବାଦର ଦିବ୍ୟାଙ୍ଗ ମହିଳା ସୁଲୋଚନା ପତି। ଯିଏ ନିଜେ ବଞ୍ଚିବା ସହ ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ଦେଉଛନ୍ତି ପ୍ରେରଣା । ତାଙ୍କୁ ଆସେରା କରି ସ୍ୱାବଲମ୍ବି ହୋଇଛନ୍ତି ଅନେକ ମହିଳା ।

୨୫ବର୍ଷ ବୟସରେ ସୁଲୋଚନାଙ୍କର ଦେହ ଅତ୍ଯନ୍ତ ଖରାପ ହୋଇଥିଲା। କିଛି ଦିନ ପରେ ଦେହ ସିନା ଭଲ ହୋଇଗଲା କିନ୍ତୁ ଅଙ୍ଗ ପ୍ରତ୍ଯଙ୍ଗ ସବୁ ଅଚଳ ହୋଇଗଲା । କାହା ଉପରେ ନିର୍ଭର ନକରି କିଛି କରି ଦେଖାଇବାର ସ୍ବପ୍ନ ନେଇ ୧୯୯୯ ମହାବାତ୍ୟା ପରେ ଗାଁର କିଛି ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ଶ୍ରୀରାମ ଦର୍ଶନ ଧୂପ କାଠି ଉଦ୍ୟୋଗ । ଏହାରି ଭିତରେ ଦୀର୍ଘ ବର୍ଷ ବିତି ଯାଇଛି। କିନ୍ତୁ ସେହି ଭଙ୍ଗା ଘରେ ନିଜେ ରହି ଉଦ୍ୟୋଗକୁ ସେମିତି ଚଳାଇ ଚାଲିିଛନ୍ତି ସୁଲୋଚନା । ସମ୍ପୂର୍ଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ସୁଦ୍ଧା କୌଣସି ସରକାରୀ ସହାୟତା ମିଳିନଥିବା କୋହ ଭରା କଣ୍ଠରେ କହିଛନ୍ତି ସୁଲୋଚନା ।

ଗାଁର ମହିଳା ମାନେ ଏହି ସଂସ୍ଥାରେ କାମ କରି ନିଜେ ସ୍ୱାବଲମ୍ବି ହେବା ସହ ନିଜ ପରିବାରକୁ ଚଳାଇବାରେ ସକ୍ଷମ ହୋଇପାରିଛନ୍ତି। ଏନେଇ ସେମାନେ ସୁଲୋଚନାଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ଏହି ସଂସ୍ଥାରେ ଧୂପ କାଠି, ଝୁଣା ଓ ମହମବତୀ ଭଳି ବିଭିନ୍ନ ସାମଗ୍ରୀ ତିଆରି କରାଯାଉ ଥିବାବେଳେ, ଯଦି ସରକାରୀ ସହାୟତା କିଛି ମିଳନ୍ତା ତେବେ ଏହି ସଂସ୍ଥା ଆହୁରି ଆଗକୁ ଯାଇପାରନ୍ତା ବୋଲି କହିଛନ୍ତି ଏଠାରେ କାର୍ଯ୍ୟ କରୁଥିବା ମହିଳା ମାନେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.