ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମାନୁଷିକ କାର୍ଯ୍ୟ : ଭାଉଜର ଲଙ୍କା ଗୁଣ୍ଡ ମିଶା ଗରମ ପାଣିରେ ଦିଅର ଗୁରୁତର 

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅମାନବୀୟ ଘଟଣା ଘଟିଯାଇଛି । ଭାଉଜ ଲଙ୍କାଗୁଣ୍ଡ ମିଶା ଗରମ ପାଣି ଦିଅର ଉପରେ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର ଆହତ ଅନୁ ପଲାଇଙ୍କ ମା ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବେ କୌଣସି ଘଟଣାକୁ ନେଇ ଦୁଇ ଭାଇ ସୁବଳ ପଲାଇ (ବଡ଼) ଓ ଅନୁ ପଲାଇ (ସାନ)ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ବଡ଼ ଭାଉଜ ଜୟନ୍ତୀ ପଲାଇ ଗତକାଲି ସନ୍ଧ୍ୟାରେ ତାଙ୍କ କନିଷ୍ଠ ପୁତ୍ର ଅନୁ ପଲେଇ ଘର ପାହାଚରେ ବସିଥିବା ସୁଯୋଗ ନେଇ ହଠାତ ଗରମ ପାଣି ଅନୁଙ୍କ ଉପରକୁ ଫୋପାଡି ଦେଇଥିଲେ। ଏହା ପରେ ଅନୁଙ୍କ ଚିତ୍କାର ଶୁଣି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଅନୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ସେପଟେ ଅନୁଙ୍କ ମା କର୍ପୁରଙ୍କ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.