ବ୍ରହ୍ମପୁର: ବଟି ଆଦାୟ କରୁଥିଲେ ନକଲି କନେଷ୍ଟବଳ, ଗିରଫ କଲା ଅସଲି ପୋଲିସ୍‌

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଜଣେ ନକଲି କନେଷ୍ଟବଳଙ୍କୁ ଗିରଫ କରିଛି  । ଗିରଫ ନକଲି କନେଷ୍ଟବଳ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କୁମାରୀ ଗାଁର ଅରୁଣ ନାୟକ। ଅରୁଣ ବ୍ରହ୍ମପୁର ସହରର ବାବାଜୀତୋଟା ସାହି ନିକଟରେ ଥିବା ଟେଷ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ପୋଷାକ ପରିଧାନ କରି ଡ୍ୟୁଟି କରିବା ଅଭିନୟ କରୁଥିଲେ । ବିଭିନ୍ନ ସମୟରେ ବ୍ୟାଙ୍କ ଆସୁଥିବା ଲୋକଙ୍କୁ , ଏହି ଅଞ୍ଚଳରେ ଥିବା ଦୋକାନୀ ଓ ଠୋଲା ଦୋକାନୀ ମାନଙ୍କୁ ପୋଲିସ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ।

କିଛି ଦିନ ହେଲେ ସ୍ଥାନୀୟ ଦୋକାନୀମାନେ ସନ୍ଦେହ କରିବା ପରେ ପୋଲିକୁ ଏନେଇ ଖବର ଦେଇଥିଲେ । ଟାଉନ ଏସଡିପିଓ ବିଷ୍ଣୁ ପତିଙ୍କ ନିର୍ଦ୍ଦେଶକ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ପୋଲିସ ପୋଷାକ ପିନ୍ଧିଥିବା ଅରୁଣଙ୍କୁ ଗିରଫ କରିଥିଲା  । ଗିରଫ ଅରୁଣ ତିନି ମାସ ହେବ ଏଭଳି ନକଲି କନେଷ୍ଟବଳ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ସ୍ୱୀକାର କରିଛି  । ଅରୁଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ଶାରଦା ପ୍ରସାଦ ଦାଶ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.