ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ, ନେବାକୁ ଆସିବ ସ୍ୱତନ୍ତ୍ର ଗାଡି ଓ ଟେକ୍‌ନିକାଲ୍‌ ଟିମ୍‌

ଅନୁଗୁଳ: ମାର୍ଚ୍ଚରେ ସୁନ୍ଦରୀର ଘର ବାହୁଡ଼ା। ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମାର୍ଚ୍ଚ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାଘୁଣୀକୁ ରିୱାଇଲଡିଂ ସେଣ୍ଟରକୁ ପଠାଇବାର ବନ୍ଦୋବସ୍ତ କରାଯାଉଛି। ଏନେଇ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇଥିବା ଅନୁଗୁଳ RCCF ସୂଚନା ଦେଇଛନ୍ତି। ସୁନ୍ଦରୀକୁ ନେବାକୁ ସେଠାରୁ ସ୍ୱତନ୍ତ୍ର ଗାଡି ଓ ଟେକ୍‌ନିକାଲ୍‌ ଟିମ୍‌ ଆସିବ।

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ବୃଦ୍ଧି ପାଇଁ ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ସାତକୋଶିଆରେ ଜୈବ ବିବିଧତା ଫେରାଇ ଆଣିବା ଓ ବାଘ ବଂଶ ବୃଦ୍ଧି କରିବାକୁ ମହାବୀର ଓ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟର ଛଡ଼ା ଯାଇଥିଲା। କିନ୍ତୁ ମହାବୀରର ସନ୍ଦେହଜନକ ମୃତ୍ୟୁ ଓ ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୁନ୍ଦରୀ ଆକ୍ରମଣ କରିବା ଅଭିଯୋଗ ହେବା ପରେ ବିବାଦ ଉଠିଥିଲା।

ସୁନ୍ଦରୀକୁ ରାଇଗୁଡ଼ା ରେଞ୍ଜ୍‌ରେ ଏକ ଏନକ୍ଲୋଜରରେ ରଖାଯାଇଥିଲ। ଏନେଇ ଏନଟିସିଏ ଆପତ୍ତି ଉଠାଇଥିଲା। ଏନକ୍ଲୋଜରରେ ସୁନ୍ଦରୀ ନିଜର ହିଂସ୍ର ପ୍ରବୃତ୍ତି ଭୁଲି ଯାଇଥିବା ଅଭିଯୋଗ ହୋଇଥିଲା। ବାଘୁଣୀ ସୁନ୍ଦରୀର ଭବିଷ୍ୟତ କଣ ସେନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ। କାହ୍ନା ଅଭୟାରଣ୍ୟକୁ ଫେରିବା ପର୍ଯ୍ୟନ୍ତ ସୁନ୍ଦରୀକୁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ସୁନ୍ଦରୀର ପର୍ଯ୍ୟାପ୍ତ ଦେଖାଶୁଣା କରିବାକୁ ଚିଠିରେ ଅନୁରୋଧ କରିଥିଲେ। ଶେଷରେ ସୁନ୍ଦରୀ କାହ୍ନା ଫେରିବାକୁ ସଜବାଜ ଆରମ୍ଭ ହୋଇଛି।

Leave A Reply

Your email address will not be published.