ବିଜୁ ବାବୁଙ୍କ ଦୁଃସାହସିକ କାର୍ଯ୍ୟକୁ ମନେ ପକାଇ କଟକରୁ ଭୁବନେଶ୍ୱର ସାଇକଲ ଶୋଭାଯାତ୍ରା: ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ସାମିଲ

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ଜନ୍ମ ଜୟନ୍ତୀ। ଟଲ୍‌ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା। ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ଓଡ଼ିଆ ସ୍ୱାଭିମାନର ପ୍ରତୀକ, କଳିଙ୍ଗ ବୀର ଓ ପ୍ରବାଦ ପୁରୁଷ ଭାବରେ ଓଡ଼ିଶାର ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକ। ଜନ୍ମ ଜୟନ୍ତୀକୁ ରାଜ୍ୟବ୍ୟାପୀ ମହାସମାରୋହରେ ପାଳନ ହେଉଛି । ଆକାଶରେ ଉଡ଼ି ପାଇଲଟ ଭାବେ କେତେବେଳେ ସାଇକଲ ଚଳାଇ ପେଶାଓ୍ଵର ଯାତ୍ରା ପାଇଁ ଖବରର ଶିରୋନାମା ପାଲଟିଥିଲେ ବିଜୁ ପଟ୍ଟନାୟକ ।

ତାଙ୍କର ଏହି ଯାତ୍ରାକୁ ମନେ ପକାଇବା ପାଇଁ କଟକ ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏ ସାଇକଲ ଶୋଭାଯାତ୍ରା କରାଯାଇଛି । ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ସାଇକେଲ ରାଲିରେ ସାମିଲ ହୋଇଥିଲେ। ଏୟାରପୋର୍ଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି। ୧୯୯୭ ଏପ୍ରିଲ ୧୭ ତାରିଖରେ ଏହି ମହାନାୟକଙ୍କର ଦେହାନ୍ତ ହୋଇଥିଲା। ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ। ଏହା ସତ୍ତ୍ୱେ ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇପାରିନାହିଁ। ବର୍ତ୍ତମାନର କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।

Leave A Reply

Your email address will not be published.