ପ୍ରେମିକ ସହିତ ହୋଟେଲରୁ ବାହାରିବା ବେଳେ ସାମ୍ନାରେ ଦେଖିଲେ ସ୍ୱାମୀ, ତା’ପରେ ହେଲା ହାଇ ଭୋଲ୍ଟେଜ ଡ୍ରାମା
ପଞ୍ଜାବର ଅମୃତସରରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହିତ ହୋଟେଲ ରୁମ୍ରେ ରହିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଘଟଣା ସଂକ୍ରାନ୍ତରେ କୌଣସି ମତେ ଖବର ପାଇ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି। ଚାପୁଡ଼ା ପରେ ଚାପୁଡ଼ା ମାରିଛନ୍ତି। ଏ ସମସ୍ତ ଦୃଶ୍ୟ କଏଦ ହୋଇଛି ହୋଟେଲରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ।
ଖବରରୁ ଜଣାପଡ଼ିଛି, ମହିଳାଙ୍କର ସ୍ୱାମୀଙ୍କ ସହିତ ଛାଡ଼ପତ୍ର ମାମଲା ଚାଲିଥିଲା। ହେଲେ ସେ ସ୍ୱାମୀଙ୍କଠାରୁ ଟଙ୍କା ନେବା ପରେ ବି ଛାଡ଼ପତ୍ର ଦେବାକୁ ମନା କରି ଦେଇଥିଲେ। ଏହାରି ଭିତରେ ତାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ କି, ସ୍ତ୍ରୀ ନିଜ ପ୍ରେମିକ ସହିତ ଏକ ଘରୋଇ ହୋଟେଲରେ ଅଛି। ଆଉ ତା’ ପରେ ସ୍ୱାମୀ ନିଜର କିଛି ସାଙ୍ଗଙ୍କୁ ଧରି ଉକ୍ତ ହୋଟେଲରେ ପହଞ୍ଚି ଯାଇଥିଲେ ଏବଂ ସେଠି ସ୍ତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ପିଟିଥିଲେ।
ମହିଳାଙ୍କ ସ୍ୱାମୀ ପୋଲିସ କନଷ୍ଟେବଳ ଥିବା ବେଳେ ଜଳନ୍ଧରର ବାସିନ୍ଦା। ସେପଟେ ମହିଳା ଗୁରଦାସପୁରର ହୋଇଥିବା ବେଳେ ତାଙ୍କ ପ୍ରେମିକ ଏସ୍ଜିପିସି କର୍ମଚାରୀ। ପୀଡ଼ିତ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସ୍ତ୍ରୀଙ୍କର ଗତ କିଛିଦିନରୁ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଚାଲିଛି ଏବଂ ସେ ତାଙ୍କୁ ଦୀର୍ଘଦିନରୁ ଧୋକା ଦେଇ ଆସୁଛନ୍ତି। ଯେତେବେଳେ ତାଙ୍କୁ ଜଣାପଡ଼ିଲା କି, ସେ ପ୍ରେମିକ ସହିତ ହୋଟେଲ ରୁମ୍କୁ ଆସିଛନ୍ତି, ତ ତାଙ୍କୁ ଧରିବା ପାଇଁ ସେ ସେଠାରେ ପହଞ୍ଚି ଯାଇଥିଲେ।
ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ବିବାହକୁ ୬ ବର୍ଷ ବିତିଗଲାଣି। ସ୍ତ୍ରୀ ସବୁବେଳେ ଛୋଟ ଛୋଟ କଥାରେ ତାଙ୍କ ସହିତ ଲଢ଼େଇ କରୁଥିଲେ। କଳି ଝଗଡ଼ା କରି ବାପଘରକୁ ଚାଲି ଯାଉଥିଲେ। ଏ ନେଇ ଉଭୟଙ୍କ ପରିବାର ଲୋକେ ଏବଂ ପଞ୍ଚାୟତ ମିଶି ବୁଝାମଣା ବି କରିଥିଲେ। ତଥାପି ସ୍ତ୍ରୀ ସବୁବେଳେ ମୋବାଇଲ୍ରେ ବ୍ୟସ୍ତ ରହୁଥିଲେ। ଏହାକୁ ନେଇ ସ୍ତ୍ରୀଙ୍କ ଚରିତ୍ର ଉପରେ ତାଙ୍କର ସନ୍ଦେହ ଜାତ ହୋଇଥିଲା। ସେ ଅନେକ ଦିନରୁ ତାଙ୍କ ଉପରେ ନଜର ରଖି ଆସୁଥିଲେ ବୋଲି ବ୍ୟକ୍ତି ଜଣକ କହିଛନ୍ତି। ସେପଟେ ପୋଲିସ କହିଛି କି, ମାମଲାର ତଦନ୍ତ ଚାଲିଛି। ପ୍ରେମୀଯୁଗଳଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।