ଆଜିଠୁ ୬ ଦିନ ପର୍ଯ୍ଯନ୍ତ ଦିଲ୍ଲୀରେ ଲକ୍ଡାଉନ୍, କେହି ଘରୁ ନବାହାରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରିଲା ଲକ୍ଡାଉନ । ୬ ଦିନ ଲକ୍ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରାଜଧାନୀରେ ଲକ୍ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢିବାରୁ ଲକ୍ଡାଉନ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ନିବେଦନ କରିଛନ୍ତି କେଜ୍ରିୱାଲ୍ । ଏହାସହ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଘରୁ ନବାହାରିବାକୁ ମଧ୍ୟ ସେ କହିଛନ୍ତି ।
ଗତ ୨୪ ଘଣ୍ଟାରେ ୨୫ହଜାର ସଂକ୍ରମଣ ବଢିବା ପରେ ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଆଗକୁ ଲକ୍ଡାଉନ ଅବଧି ନବଢାଇବାକୁ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ସେ ଦିଲ୍ଲୀବାସୀଙ୍କୁ କହିଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସେବା ଯୋଗାଇବାକୁ ଦିଲ୍ଲୀ ସରକାର ସମସ୍ତ ସହାୟତା କରିବେ ।
ଆଗାମୀ ୬ଦିନ ମଧ୍ୟରେ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଲକ୍ଡାଉନ ସମୟରେ ଅକ୍ସିଜେନ, କୋଭିଡ ଔଷଧ ଆଦିର ବନ୍ଦୋବସ୍ତ କରାଯିବ। ଏହାସହ କଡ଼ାକଡ଼ି କୋଭିଡ ଗାଇଡଲାଇନ ପାଳନ କରିବାକୁ ଦିଲ୍ଲୀବାସୀଙ୍କୁ ସେ ନିବେଦନ କରିଛନ୍ତି। ତେବେ ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ।