କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ମୃତ୍ୟୁ, ବଲିଉଡ୍ରେ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନା, ଓଲିଉଡ୍ରେ ଉତ୍ତମ ମହାନ୍ତିଙ୍କ ସହ କରିଥିଲେ ଅଭିନୟ
ବଲିଉଡ, ଭୋଜପୁରୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜ ଅଭିନୟ ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ବୁଧବାର ନିଧନ ହୋଇଯାଇଛି। ସେ ଗତ କିଛିଦିନ ଧରି କରୋନାରେ ଜୁଝି ହେଉଥିଲେ। ଏ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA)ର ସାଧାରଣ ସମ୍ପାଦକ ଅମିତ ବହଲ ସୂଚନା ଦେଇଛନ୍ତି। ବହଲ କହିଛନ୍ତି, କୋଭିଡରେ ଶ୍ରୀପ୍ରଦାଙ୍କ ମୃତ୍ୟୁ ଘଟିଛି।
ସେପଟେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଭୋଜପୁରୀ ଅଭିନେତା ରବି କିଶନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଶ୍ରୀପ୍ରଦା ଜଣେ ଭଲ ଅଭିନେତ୍ରୀ ଥିଲେ। ତାଙ୍କ ବ୍ୟବହାର ବହୁତ ଭଲ ଥିଲା। ଭଗବାନ ତାଙ୍କ ପରିବାରକୁ ଦୁଃଖ ସହିବାର ଧୈର୍ଯ୍ୟ ଦିଅନ୍ତୁ’।
୮୦ ଓ ୯୦ ଦଶକରେ ଶ୍ରୀପ୍ରଦା ଅନେକ ଫିଲ୍ମରେ କାମ କରିଥିଲେ ଏବଂ ସେହି ସମୟରେ ସେ ଯୁବାମାନଙ୍କର ପସନ୍ଦର ଅଭିନେତ୍ରୀ ବନି ଯାଇଥିଲେ। ତାଙ୍କୁ ଫିଲ୍ମ ‘ଆଗ କେ ଶୋଲେ’ ଏବଂ ‘ବେୱଫା ସନମ’ ପାଇଁ ଜଣାଯାଇଥାଏ। ଶ୍ରୀପ୍ରଦା ଟିଭି ହରର ସିରିଏଲରେ ମଧ୍ୟ କାମ କରିଛନ୍ତି। ୧୯୮୯ରେ ଆସିଥିବା ଫିଲ୍ମ ‘ବଟବାରା’ରେ ସେ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର ଓ ଆକ୍ଟର ବିନୋଦ ଖାନ୍ନାଙ୍କ ସହ ନଜର ଆସିଥିଲେ।
ଶ୍ରୀପ୍ରଦା ତାଙ୍କ ଅଭିନୟ ଜୀବନର ପ୍ରାରମ୍ଭରେ ଏକ ଓଡ଼ିଆ ଫିଲ୍ମ ମଧ୍ୟ କରିଥିଲେ । ଉତ୍ତମ ମହାନ୍ତିଙ୍କ ସହ ‘ଚକା ଆଖି ସବୁ ଦେଖୁଛି’ ଚଳଚ୍ଚିତ୍ରରେ ସେ ନାୟିକା ଭାବେ ଚମତ୍କାର ଅଭିନୟ କରିଥିଲେ ।