୧୦ବର୍ଷର ପୁଅକୁ ନେଇ ଜୀବନ ସହ ସଂଗ୍ରାମ କରୁଛନ୍ତି ସୋମବାରୀ, ଦୁଃଖ ବୁଝିବାକୁ ସରକାରଙ୍କୁ କରିଛନ୍ତି ଗୁହାରୀ

ଉଦଳା: ସରକାର ପ୍ରତି କ୍ଷେତ୍ରରେ ମାଳ ମାଳ ଯୋଜନା କରିଛନ୍ତି । ହେଲେ ଯୋଜନା , ଯୋଜନା ବାଟରେ ଚାଲିଥିବା ବେଳେ ପ୍ରକୃତ ହିତାଧିକାରୀ ଆଜି ବି ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଏହେଉଛି କପ୍ତିପଦା ବ୍ଲକ ମଝିଗଡିଆ ଗ୍ରାମପଞ୍ଚାୟତର ଡାଙ୍ଗରଚୁଆ ମରାସାହି ଗ୍ରାମର ଘଟଣା । ଏହି ପରିବାରର ଅବସ୍ଥାକୁ ଦେଖିଲେ ଲାଗିବ ଯେମିତି ସବୁ ଦୁଃଖକଷ୍ଟ ବୋଧେ ଡକାଡକି ହୋଇ ଏହି ପରିବାର ଉପରେ ପଡିଛି । ଘରର ମୁରବି ସ୍ୱାମୀ ଘନ ସିଂ ଚାଲିଗଲେ ଆରପାରିକୁ । ପୁଅ ଜାରକା ସିଂ ଜନ୍ମ ନେବାର ମାତ୍ର କେଇ ଦିନ ମଧ୍ୟରେ ଘନ ସିଂଙ୍କ ଦେହାନ୍ତ ହୋଇଥିଲା । ଏବେ ପୁଅକୁ ୧୦ବର୍ଷ ହୋଇଥିବା ବେଳେ ମାଆ ସୋମବାରୀ ସିଂଙ୍କ ଉପରେ ଆକାଶ ଛିଡି ପଡିଥିବା ଭଳି ଲାଗୁଛି । ନା ପୁଅକୁ ଦେଖାଯାଉଛି ନା ଶୁଣା ଯାଉଛି, କଥା ମଧ୍ୟ କହିପାରୁନି ।

ଏହି ବୟସରେ ସାଙ୍ଗ ମାନଙ୍କ ସହ ଖେଳି ବୁଲିବା କଥା ହେଲେ ସେ ଏକା ଏକା ବସି ରହୁଛି । କେହି ଯଦି ଧରି ଗୋଟାଏ ଜାଗାରୁ ଅନ୍ଯ ଜାଗାକୁ ନେଉଛି ତାହାଲେ ଯାଉଛି ନହଲେ ସେମିତି ବସି ରହୁଛି । ମନ ହେଲେ ନିଜେ ନିଜେ ହାତ ଗୋଡ ହଲେଇ କିଛି ଗୁଣୁ ଗୁଣୁ ହେଉଛି । ଏତେ ପରେ ବି ପୁଅ ଜାରକା ସିଂ ମୁହଁରେ ସବୁବେଳେ ହସ ଝରି ପଡୁଛି । ଜୀବନଟି ଅନ୍ଧକାର ହୋଇଯାଇଛି ସିନା କିନ୍ତୁ ହସ ହସ ମୁହଁରେ ସମସ୍ତଙ୍କୁ ସର୍ବଦା ଆକୃଷ୍ଟ କରି ରଖିଛି । ଜାରକାର ନିତିଦିନିଆ କର୍ମ ମାଆ ସୋମବାରୀ କରିଆସୁଛନ୍ତି । ଘର ଚଳାଇବା ବି ବେଳେ ବେଳେ ବହୁ କଷ୍ଟ ଦାୟକ ହୋଇ ପଡୁଛି ।

ସ୍ୱାମୀଙ୍କ ସମ୍ପତ୍ତିରେ ଥିବା କିଛି ଜମିକୁ ଚାଷ କରି ଯାହା ଫଳ ବାହାରେ ସେଥିରେ ଗୁଜୁରାଣ ମେଣ୍ଟାଇବା ସହ ଜଙ୍ଗଲରୁ ମିଳୁଥିବା ଋତୁ ଅନୁଯାୟୀ ମହୁଲଫୁଲ, ଚାରକୁଳିମି, ଟୁଲମି, ଶାଳ ପତ୍ର ଆଦି ସଂଗ୍ରହ କରି ବିକ୍ରି କରନ୍ତି । କିନ୍ତୁ ଏହା ଘର ଚଳାଇବା ଯଥେଷ୍ଟ ହୋଇନଥାଏ । ସରକାରୀ ଯୋଜନାରେ ବିଧବା ଭତ୍ତା ମିଳିନାହିଁ । କେବଳ ରାସନ କାର୍ଡରେ ମିଳୁଛି ୫କିଲୋ ଚାଉଳ ମିଳୁଛି । ଏମିତି ବି ଦିନ ଆସେ ଘରେ ଗୋଟେ ଓଳି ଚୁଲି ଜଳିଲା ବେଳେ ଅନ୍ଯ ଓଳି ଚୁଲି ଜଳି ପାରେନି ।

ଏ ବାବଦରେ କପ୍ତିପଦା ବିଡିଓଙ୍କୁ ପଚାରିବାରୁ ସେ କ୍ଯାମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବାକୁ ନାରାଜ। ହେଲେ ଘଟଣାର ତଦନ୍ତ କରି ତୁରନ୍ତ ଏହି ପରିବାରକୁ ସରକାରୀ ଯୋଜନାରେ ଥିବା ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ଅନ୍ଯପଟେ ଗ୍ରାମବାସୀ ମଧ୍ଯ ଏହି ପରିବାରକୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.