ନିଜ ସ୍ୱାର୍ଥ ପାଇଁ କଅଁଳା ବାଛୁରୀକୁ ରାସ୍ତା କଡ଼ରେ ଫିଙ୍ଗି ଦେଇଗଲା ମଣିଷ, ଯାହାକୁ ଆପଣାଇ ନେଲା ଗାଈ

ଭଞ୍ଜନଗର : ମାଆ ସ୍ୱର୍ଗୀୟ ଚେତନାର ଏକ ଉତ୍ସର୍ଗୀକୃତ ଅନୁଭବ। ଅତୀତରୁ ଆଜି ଯାଏଁ ଯୁଗ ଯେତେ ପରିବର୍ତ୍ତନଶୀଳ ହେଉନା କାହିଁକି ଜନ୍ମଦାତ୍ରୀ ମାଆ ସବୁବେଳେ ମାଆ। ମଣିଷ ହେଉ କି ପଶୁ, ଏହାର କୈାଣସି ବିକଳ୍ପ ନାହିଁ।

ପଶୁ ହେଲେବି ସନ୍ତାନଙ୍କ ପାଇଁ ରହିଥିବା ସ୍ନେହର ଅନେକ ନିଆରା ଉଦାହରଣ ରହିଛି। ନିଜର ହେଉ କି ଆଉ କାହାର ଗୋଟିଏ ମାଆ ପାଖରେ ଜଣେ ଛୁଆ ପ୍ରତି ଅଜାଡ଼ି ହୋଇପଡୁଥିବା ସ୍ନେହ ହେଉଛି ସେହି ମାତୃତ୍ୱ। ଆମେ ଆଜି କହୁଛୁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବରପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଦେଖିବାକୁ ମିଳୁଥିବା ନିତିଦିନିଆ ଦୃଶ୍ୟର କଥା। ଗାଈ ଗୋଟିଏ, ମାତ୍ର ଦୁଇଟି ଛୁଆ। ଏକା ସାଙ୍ଗରେ ଦୁଇଟି ବାଛୁରୀ ଗାଈଠାରୁ କ୍ଷୀର ପିଉଛନ୍ତି। ଫରକ ଏତିକି ଗୋଟିଏ ବାଛୁରୀ ଏହି ଗାଈର ନିଜ ଛୁଆ ହୋଇଥିବା ବେଳେ ଅନ୍ୟ ବାଛୁରୀଟି ଆଉ ଏକ ଗାଈର।

MOTHER-2

କିଛିଦିନ ପୂର୍ବରୁ ଜଣେ ଗୋରୁ ବେପାରୀ ଗାଈ ପଲକୁ ଚଲାଇ ଚଲାଇ ନେଇ ଯାଉଥିବା ବେଳେ ମାଆ ଗାଈ ସହ ଯାଉଥିବା ୧୫ ଦିନର ବାଛୁରୀଟି ଆଉ ଚାଲି ପାରିନଥିଲା। ଫଳରେ ଗୋରୁ ବେପାରୀମାନେ କଅଁଳା ବାଛୁରୀଟିକୁ ରାସ୍ତା କଡକୁ ଫୋପାଡି ଦେଇ ମାଆ ଗାଈକୁ ନେଇ ଚାଲି ଯାଇଥିଲେ। କାରଣ ତାଙ୍କ ପାଇଁ ବ୍ୟବସାୟ ଓ ଅର୍ଥ କମେଇବା ଥିଲା ବଡ଼ କଥା । ତେବେ ବରପଲ୍ଲୀ ଗାଁ ଲୋକେ ଅସହାୟ ବାଛୁରୀଟିକୁ ଉଦ୍ଧାର କରି ଜଣେ ବ୍ୟକ୍ତିଙ୍କ ଗୁହାଳରେ ରଖିଥିଲେ। ସେହି ଗୁଆହଳରେ ଥିବା ଗାଈର ମଧ୍ୟ ଗୋଟିଏ ବାଛୁରୀ ଛୁଆଟିଏ ଥିଲା। ଶେଷରେ ଏମିତି ହେଲା ନିଜ ବାଛୁରୀ ସହ ଉଦ୍ଧାର ହୋଇଥିବା ୧୫ ଦିନର ବାଛୁରୀଙ୍କୁ ଏକାସାଙ୍ଗରେ ନିଜର କ୍ଷୀର ପିଆଉଛି ଗାଈଟି।

ଜନ୍ମଦାତ୍ରୀ ମାଆ ଓ ଛୁଆକୁ ନେଇ ଅନେକ ଘଟଣା ଓ ଦୁର୍ଘଟଣା ଜନିତ ଖବର ଆମେ ଦେଖି ଆସିଛେ। ବର୍ତ୍ତମାନ ପରିସ୍ଥିତିରେ କେଉଁଠି ସଂକ୍ରମଣ ସନ୍ଦେହରେ ପୁଅ ପାଖକୁ ମାଆ ଯାଉନି ତ କେଉଁଠି ମା’ର ଶବକୁ କାନ୍ଧ ଦେଉନି ପୁଅ। ରାତି ପାହିଲେ ଏମିତି ସବୁ ଘଟଣା ସାଧାରଣ ଲୋକଙ୍କ ମନକୁ ଭାରାକ୍ରାନ୍ତ କରୁଛି । ଏତିକି ବେଳେ ପଶୁ ହେଲେବି ଗୋଟିଏ ଗାଈ ମାଆକୁ ହରାଇଥିବା ବାଛୁରୀକୁ ଆପଣାଇ ନେବାର ବିରଳ ଘଟଣା ଘଟିଛି ।

ଅନାଥ ବାଛୁରୀଟି ଏବେ ମାସକର ହୋଇଗଲାଣି। ଉଭୟ ଗାଈ ଓ ବାଛୁରୀଙ୍କ ବ୍ୟତୀତ ଗାଈ ମାଲିକଙ୍କ ତ୍ୟାଗ ବି କିଛି କମ୍‌ ନୁହେଁ। କ୍ଷୀର ଦୁହିଁବା ପରିବର୍ତ୍ତେ ସବୁତକ କ୍ଷୀର ଦୁଇ ବାଛୁରୀଙ୍କ ପାଇଁ ଛାଡି ଦେଇଛନ୍ତି।

MOTHER-3

ଠିକ୍‌ ସେମିତି ପୂର୍ବରୁ ବେଲଗୁଣ୍ଠା ଅନ୍ତର୍ଗତ ବଡଖଣ୍ଡା ଗାଁ ନିକଟରେ ଆମ ନଜରକୁ ଆସିଥିଲା ଏମିତି ଏକ ବିରଳ ଘଟଣା। ବାଛୁରୀକୁ ଜନ୍ମଦେବାର କିଛି ସମୟ ପରେ ଗାଈଟିର ମୃତ୍ୟୁ ହୋଇଗଲା। ବାଛୁରୀକୁ ନିଜର କ୍ଷୀର ଖୁଆଇ ତାର ମା’ ସାଜିଥିଲା ଏକ କୁକୁର। ନିଜ ଛୁଆଙ୍କ ସହ ବାଛୁରୀଟି ବଡ ହେବା ପଯ୍ୟର୍ନ୍ତ କ୍ଷୀର ପିଆଉଥିଲା ମାଆ କୁକୁର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.