ପୁଣି ବଢ଼ିବ କି ଲକଡାଉନ୍‌ ? ସାଢେ ୬ଟା ବେଳେ ସୂଚନା ଦେବେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବଢ଼ିବ କି ଲକଡାଉନ୍‌ ? ଦିନକ ପରେ ସରୁଛି ଲକଡାଉନ୍‌ । ଜୁନ୍‌’ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ କମିଛି ହେଲେ ସ୍ଥିତି ତଥାପି ଉଦ୍‌ବେଗଜନକ ରହିଛି। ତେବେ ଲକଡାଉନ ବଢିବ କି ନାହିଁ ଏନେଇ  ୬ଟା ୩୦ ରେ  ପ୍ରେସମିଟ କରି ରାଜ୍ୟବାସୀଙ୍କୁ ସୂଚନା ଦେବେ  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଗତକାଲି ପଜିଟିଭ୍‌ ହାର ୧୪ ପ୍ରତିଶତ ଥିବାବେଳେ ପିକ୍‌ ସମୟରେ ଏହା ୨୬ ପ୍ରତିଶତ ଛୁଇଁଥିଲ। ୩ ଦିନ ହେବ ଦୈନିକ ସଂକ୍ରମଣ ପାଖାପାଖି ୭ହଜାର ରହୁଛି।  ୨୪ ଜିଲ୍ଲା ଏବେ ବି ରେଡ୍‌ ଜୋନ୍‌ରେ ରହିଛି । ରାଜ୍ୟରେ ୯୭ହଜାରରୁ ଅଧିକ ଆକ୍‌ଟିଭ୍‌ କେସ୍‌ ରହିଛି। ଖୋର୍ଦ୍ଧାରେ ଆକ୍‌ଟିଭ୍‌ କେସ୍‌ ୧୨ହଜାରରୁ ଅଧିକ ଥିବାବେଳେ କଟକରେ ୮ହଜାରରୁ ଅଧିକ ରହୁଛି। ସଂକ୍ରମଣ ସାମାନ୍ୟ କମିଥିଲେ ବି ମୃତ୍ୟୁ ସଂଖ୍ୟା ୩୦ ତଳକୁ ଖସୁନି। ଏପରି ସ୍ଥିତିରେ ସାମାନ୍ୟ ଢିଲାପଣ ସାରା ରାଜ୍ୟ ପାଇଁ ମହଙ୍ଗା ହୋଇପାରେ। WHO ଅନୁଯାୟୀ ସଂକ୍ରମଣ ହାର ୫ ପ୍ରତିଶତରୁ ନ ଖସିବା ନପର୍ଯ୍ୟନ୍ତ କଟକଣା କୋହଳ କରିବା ଠିକ୍‌ ନୁହେଁ ।

ସାବିତ୍ରୀ, ରଜ ସମୟରେ ବଜାର ଖୋଲିଲେ ସ୍ଥିତି ସାଂଘାତିକ ହେବ। ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକ୍‌ଡାଉନ୍‌ ଅବଧିକୁ ଆହୁରି ୨ସପ୍ତାହ ପର୍ଯ୍ୟନ୍ତ ବଢାଇବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। କେତେକ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ତଳକୁ ଖସିଆସିଲାଣି । କିଛି ଜିଲ୍ଲାରେ ପଜି଼ଟିଭ୍‌ ହାର ୧୦ପ୍ରତିଶତରୁ କମ୍‌ କିମ୍ବା ପାଖାପାଖି ରହୁଛି। ତେଣୁ ସେଠାରେ କଟକଣା କିଛି ମାତ୍ରାରେ କୋହଳ ହୋଇପାରେ। ଏନେଇ ବିଚାର ଚାଲିଥିବାବେଳେ ଆଜି ପୁଣି ବସୁଛି ପରାମର୍ଶଦାତା କମିଟି ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.