ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଶୁକ୍ରବାର ସକାଳେ ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରସିଦ୍ଧ ସିରିଏଲ ବାଳିକା ବଧୁରେ ଦାଦି ସା ଭୂମିକାରେ ଅଭିନୟ କରିଥିବା ସୁରେଖା ଘରେ ଘରେ ପରିଚିତ ଥିଲେ। ତାଙ୍କ ଦେହାନ୍ତ ହେତୁ ସମଗ୍ର ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି।
ସୂଚନା ଯୋଗ୍ୟ ‘ବାଲିକା ବଧୂ’ ଫେମ୍ ସୁରେଖା ସିକ୍ରି ସେପ୍ଟେମ୍ବର ୨୦୨୦ରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ସେ ଆର୍ଥିକ ସହାୟତା ମଧ୍ୟ ମାଗିଥିଲେ। ଏହାପୂର୍ବରୁ ନଭେମ୍ବର ୨୦୧୮ରେ ସୁରେଖାଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା । ଯେଉଁଥିପାଇଁ ସେ ପକ୍ଷାଘାତରେ ପୀଡିତ ହୋଇଥିଲେ। ସୁଟିଂ ସେଟ୍ ରେ ହିଁ ସେ ପଡ଼ିଯାଇଥିଲେ । ଏହି କାରଣରୁ ସୁରେଖାଙ୍କୁ ପାରାଲିସିସ୍ ହୋଇଥିଲା। ସେ ସୁସ୍ଥ ହୋଇଗଲେ କିନ୍ତୁ ଟିଭିରେ ଅଧିକ କାମ କରିପାରିଲେ ନାହିଁ । ଏହି କାରଣରୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା।
ସୂଚନା ଅନୁଯାୟୀ, ସୁରେଖା ସିକ୍ରିଙ୍କ ଏକ ମାସର ଔଷଧ ଖର୍ଚ୍ଚ ୨ ଲକ୍ଷରୁ ଅଧିକ ଥିଲା। ଏଥି ସହିତ, କରୋନା ଭାଇରସ୍ ହେତୁ ୬୫ ବର୍ଷରୁ ଅଧିକ କଳାକାରଙ୍କୁ କାମ କରିବାକୁ ବାରଣ କରାଯାଇଥିଲା। ତାଙ୍କର ଆର୍ଥିକ ଅବସ୍ଥା ଆହୁରି ବିଗିଡି ଯାଇଥିଲା ସୁରେଖା ସିକ୍ରି ଥିଏଟର ସହ ଅନେକ ଟିଭି ସିରିଏଲ୍ ଏବଂ ଫିଲ୍ମରେ କାମ କରିଛନ୍ତି । ସେ ୧୯୭୮ ମସିହାରେ ରାଜନୈତିକ ଡ୍ରାମା ‘କିସା କୁର୍ସି କା’ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହି ଫିଲ୍ମ ଗୁଡିକ ହେଲା ତମସ୍ (୧୯୮୮), ମମୋ (୧୯୫୫) ଏବଂ ବଧାଇ ହୋ (୨୦୧୮) ।