ସଂସଦରେ ବିମାନ ଯୋଗାଯୋଗ ପ୍ରସଙ୍ଗ: କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ସଂସଦରେ ଆଜି ଭୁବନେଶ୍ୱରରୁ ବିମାନ ଯୋଗାଯୋଗ ପ୍ରସଙ୍ଗ ଉଠାଇଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ। ଅଣତାରକା ପ୍ରଶ୍ନରେ ଉଭୟ ସାଂସଦ ଜାଣିବାକୁ ଚାହିଁଥିଲେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବି, ଦୁବାଇ, ସିଙ୍ଗାପୁର ଏବଂ ଅନ୍ୟ ଦକ୍ଷିଣ ପୂର୍ବ ଏସିଆ ଓ ଆସିଆନ୍‌ ଦେଶଙ୍କ ସହ ସିଧା ଆନ୍ତର୍ଜାତିକ ବିମାନ ଉଡ଼ାଣ ପାଇଁ ସରକାର କିଛି ପ୍ରସ୍ତାବ ରଖିଛନ୍ତି କି? ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଜଣାଇଛନ୍ତି, ଭୁବନେଶ୍ୱରକୁ ସେହି ୧୮ଟି ସ୍ଥାନ ମଧ୍ୟରେ ରଖାଯାଇଛି ଯେଉଁଠାରୁ ଭାରତୀୟ ଏୟାରଲାଇନ୍‌ସ ସହ ୫ ସାର୍କ ଦେଶ ସମୁହ ଓ ୧୦ ଏସିଆନ ଦେଶ ସମୁହର ବିମାନ କମ୍ପାନୀ ବିମାନ ଚଳାଚଳ କରି ପାରିବେ। ଦ୍ୱିପାକ୍ଷିକ ଚୁକ୍ତି କରି ବିମାନ ବନ୍ଦରରେ ସ୍ଲଟର ଉପଲବ୍ଧତା ଦେଖି ଯେତେ ଥର ଚାହିଁବେ ବିମାନ ଚଳାଚଳ କରିପାରିବେ। ଏୟାରଲାଇନ୍‌ସଗୁଡିକର ଅପରେସନାଲ ପ୍ଲାନରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ବ୍ୟାବସାୟିକ ଓ ନେଟ୍‌ୱର୍କ ସୁବିଧା ଦେଖି ଏୟାରଲାଇନ୍‌ସଗୁଡିକ ନିଷ୍ପତ୍ତି ନେବାକୁ ସ୍ୱାଧୀନ। ଏୟାରଲାଇନ୍‌ଗୁଡିକ ବ୍ୟାବସାୟିକ ସୁବିଧା ଦେଖି ବିମାନ ସେବା ନିଷ୍ପତ୍ତି ନିଅନ୍ତି।

 

ସାଂସଦଙ୍କ ପ୍ରଶ୍ନ ଥିଲା, ଭବିଷ୍ୟତରେ ବେସାମରିକ ବିମାନ ଉଡାଣ ପାଇଁ ମୟୂରଭଞ୍ଜର ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍‌କୁ ଉଡାନ ଅଧିନରେ ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ ଦେବାକୁ ସରକାରଙ୍କ ପ୍ରସ୍ତାବ ରହିଛି କି। ଏହାସହ ଓଡ଼ିଶାରେ ଉଡାନ ଅଧିନରେ ଅଧିକ ରୁଟ୍‌ ଦେବାକୁ ବିଚାର କରୁଛନ୍ତି କି ସରକାର? ଉତ୍ତରରେ ମନ୍ତ୍ରୀ କହିଥିଲେ, ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ ଉଡାନ ସ୍କିମ୍‌ ଅଧିନରେ ରହିଛି। ରାସଗୋବିନ୍ଦପୁରରୁ ଭୁବନେଶ୍ୱରକୁବିମାନ ଉଡାଣ ପାଇଁ ୪.୧ ରାଉଣ୍ଡରେ ବିଡିଂ ଅଫର କରାଯାଇଛି। ଉଡାନ୍‌ ସ୍କିମରେ ରାଉରକେଲା, ଅମର୍ଦ୍ଦାରୋଡ୍‌, ଅନୁଗୁଳ, ବଡ଼ବିଲ, ବୀରାଶାଳ, ଗୁଡାରୀ, ହୀରାକୁଣ୍ଡ, ଜୟପୁର, ଲାଞ୍ଜିଗଡ଼, ପଦ୍ମପୁର, ରାଇରଙ୍ଗପୁର, ରଇଁସୁଆ, ରଙ୍ଗେଇଲୁଣ୍ଡା, ସୁକିନ୍ଦା, ଥେରୁବାଲି, ତୁଷରା, ଉତ୍‌କେଲା ଏୟାରଫିଲ୍‌ଡ ଆଦି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। … ସାଂସଦଙ୍କ ପ୍ରଶ୍ନ ଥିଲା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରସହ ଅଧିକ ରୁଟ୍‌ ଯୋଡ଼ିବାକୁ ସରକାର ବିଚାର କରୁଛନ୍ତି କି। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏୟାର ଲାଇନ୍‌ସଗୁଡିକ ବ୍ୟାବସାୟିକ ସୁବିଧା ଦେଖି ଅତିରିକ୍ତ ଉଡାଣ ପାଇଁ ବିଚାର କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.