ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ନୃଶଂସ ଝିଅ

ମୁମ୍ବାଇ: ମୁମ୍ବାଇର ଏରୋଲୀ ଅଞ୍ଚଳରୁ ଏକ ଲୋମଟାଙ୍କୁରା ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ହାତରେ ମା’ ର ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ହେଉଛି ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ବଚସା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି ବେଲ୍ଟରେ ମାଆର ତଣ୍ଟି ଚିପି ହତ୍ୟା କରିଦେଇଛି । ହେଲେ ପୋଲିସ୍ କୁ କହିଛି ଯେ, ଏହା ଏକ ଆକସ୍ମିକ ମୃତ୍ୟୁ ।

ସୁଚନା ଅନୁସାରେ, ଜୁଲାଇ ୩୦ ତାରିଖରେ ମୁମ୍ବାଇର ଏରୋଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ କହିଛି ଯେ, ଝିଅ ଏବଂ ତାଙ୍କ ୪୦ ବର୍ଷୀୟା ମାଆଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ । ମାଆ ଚାହୁଁଥିଲେ ଯେ, ତାଙ୍କ ଝିଅ ଡାକ୍ତରୀ ପାଠ ପଢ଼ୁ । କିନ୍ତୁ ଝିଅ ଡାକ୍ତରୀ ପାଠ ପଢିବାକୁ ଚାହୁଁନଥିଲେ । ତେଣୁ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହେ ।

ତେବେ ଗତ ମାସରେ ଝିଅ ତାଙ୍କ ମାଆଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ୍ ମାଆ ଏବଂ ଝିଅଙ୍କୁ କାଉନ୍ସଲିଂ କରିଥିଲା । ଜୁଲାଇ ୩୦ ତାରିଖରେ ଝିଅ, ପୋଲିସ୍ ଆଗରେ କହିଥିଲା ଯେ, ତାଙ୍କ ମାଆଙ୍କ ଗୋଡ଼ ଖସି ଯିବାରୁ ମୃତ୍ୟୁ ହୋଇଛି । କିନ୍ତୁ ମାଆଙ୍କ ମୃତଦେହକୁ ଫରେନସିକ୍ ଯାଞ୍ଚ ପଠାଯାଇଥିଲା ଏବଂ ରିପୋର୍ଟରୁ ଜଣାପଡ଼ିଥିଲା ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି । ଏହାପରେ ପୁଣିଥରେ ଝିଅକୁ ପଚରାଉଚରା କରାଯିବାରୁ ଝିଅ ପୋଲିସ୍ କୁ କହିଥିଲା ଯେ, ଝଗଡ଼ା ହେବା ସମୟରେ ବେଲ୍ଟରେ ଗଳା ଚିପି ହତ୍ୟା କରିଛି । ଏହାପରେ ପୋଲିସ୍, ଝିଅକୁ ସୋମବାର ହେପାଜତକୁ ନେଇଛି ଏବଂ ମାମଲା ରୁଜୁ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.