ମହାବୀର ମୃତ, ସୁନ୍ଦରୀ ଅସୁସ୍ଥ ! ଫେଲ୍‌ ମାରୁଛି ଜଙ୍ଗଲ ବିଭାଗ

କେମିତି ଓ କେଉଁ ପରିସ୍ଥିତିରେ ମଲା ମହାବଳ ମହାବୀର? ଘା’ ସଂକ୍ରମଣ ନା ଶିକାରୀର ଶିକାରରେ ଯାଇଛି ଜୀବନ? ତଦନ୍ତ ପାଇଁ ଆସିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-NTCA ଓ ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ-WII ପ୍ରତିନିଧି ଦଳ । ଏଥିରେ ଅଛନ୍ତି WII ବିଶେଷଜ୍ଞ କେ. ରମେଶ ଓ NTCA ଡିଜି ଅମିତ ମଲ୍ଲିକ । ପ୍ରଥମେ ଅନୁଗୁଳ ଡିଏଫ୍‌ଓଙ୍କ ଅଫିସରେ ପହଞ୍ଚି ସେମାନେ ଆଲୋଚନା କରିଥିଲେ । ପରେ ପ୍ରତିନିଧି ଦଳ ସାତକୋଶିଆ ଯାଇ ବାଘ ମୃତ୍ୟୁର କାରଣ ଖୋଜୁଛନ୍ତି । ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ରୋଗର କାରଣ ଓ ଡିଏନ୍‌ଏ ଟେଷ୍ଟ ପାଇଁ ମହାବୀରର ଅଙ୍ଗ ଓ ପେଶୀକୁ ଡେରାଡୁନ୍‌ ସ୍ଥିତ WII ଓ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ୍‌ ସାଇନସେସକୁ ପଠାଯିବ ।

ରାଜ୍ୟରେ ବାଘ ଓ ହାତୀ ମୃତ୍ୟୁ ଘଟଣାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶକ୍ତି ଓ ବନ ବିଭାଗକୁ ସୁ ସମନ୍ଵୟ ରକ୍ଷା କରି କାର‌୍ୟ୍ୟ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆଗକୁ ହାତୀ ଓ ବାଘ ମୃତ୍ୟୁ ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ହାତୀ ଚଲାପଥ ସ୍ଥାନରେ ବିଜୁଳି ତାର କେବଲିଂ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବାଘ ମୃତ୍ୟୁ ରୋକିବା ଓ ପ୍ରୋଜେକ୍ଟ ଟାଇଗର ପାଇଁ ଏନଟିସିଏ ଓ ଡବ୍ଲୁଡବ୍ଲୁଆଇ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ ।

ରାଜ୍ୟରେ କିଛି ଦିନ ଭିତରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁ ହାତୀଙ୍କ ମୃତ୍ୟୁ ଘଟିଛି । ସେହିପର ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଅନ୍ଯପଟେ ବାଘୁଣୀ ଅସୁସ୍ଥ । ସାତକୋଶିଆର ରାଇଗୁଡ଼ାରେ ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ସୁନ୍ଦରୀ ଅସୁସ୍ଥ ଥିବା ସୂଚନା ମିଳିଛି । ଟ୍ରାଙ୍କୁଲାଇଜ୍‌ ପରେ ଛୋଟେଇ ଛୋଟେଇ ଚାଲୁଛି ବାଘୁଣୀ । ଅଭିଯୋଗ ହୋଇଛି, ଟ୍ରାଙ୍କୁଲାଇଜ୍‌ରେ ତ୍ରୁଟି ହୋଇଛି । ୩୦ ମିନିଟରେ ଦୁଇ ଥର ଟ୍ରାଙ୍କୁଲାଇଜ୍‌ କରାଯାଇଥିବାରୁ ବାଘଣୀ ସୁସ୍ଥ ହୋଇ ପାରୁନି । ତେବେ ବନ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ସାତକୋଶିଆର କୋର୍‌ ଏରିଆରୁ ବାହାରି ଜନବସତି ଆଡକୁ ପଳାଇ ଆସିଥିଲା ବାଘୁଣୀ । ଲୋକ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାକୁ ଏନକ୍ଲୋଜରରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.