ଯାଜପୁର(କେ ନ୍ୟୁଜ): ମାନବିକତା ଦେଖେଇଲା ବରୀ ପୋଲିସ । ଟ୍ରଲିରେ ଶବକୁ ବୋହିଲା ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସୂଚନା ମୁତାବକ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରୀ ବ୍ଳକରେ ପ୍ରଭୁତ କ୍ଷତି ଘଟାଇଛି । ଗତ ଦୁଇଦିନ ତଳେ ବରୀ ବ୍ଲକ ଶଙ୍କରାକୂଳ ଗ୍ରାମର ଯୁବକ ରଞ୍ଜନ କୁମାର କର ନିଖୋଜ ହୋଇଯାଇଥିଲେ। ତେବେ ଗତକାଲି ତାଙ୍କ ମୃତଦେହ ବ୍ରାହ୍ମଣୀ ନଦୀର ଇଶାଣପୁର ପାଟରୁ ଉଦ୍ଧାର ହୋଇଥିଲା । ବନ୍ୟାସ୍ରୋତରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ତେବେ ପାଟ ନିକଟରୁ ଶଙ୍କରାକୁଳ ଗ୍ରାମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଗାଡି କିମ୍ବା ଆମ୍ବୁଲାନ୍ସ ଯିବାର ସୁବିଧା ନଥିବାରୁ ବରୀ ପୋଲିସ କର୍ମଚାରୀମାନେ ଉକ୍ତ ଶବକୁ ଜବତ କରି ଏକ ଟ୍ରଲି ସାହାଯ୍ୟରେ ବୋହି ଆଣିଥିଲେ । ବରୀ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ୪ଜଣ କର୍ମଚାରୀ ଏକ ଟ୍ରଲି ଯୋଗାଡ଼ କରି ଶବକୁ ଟ୍ରଲିରେ ରଖି ପାଖାପାଖି ୨କିମି ଟ୍ରଲି ଚଳାଇ ନେଇ ଆସିଥିଲେ । ତେବେ ବରୀ ପୋଲିସର ଏତାଦୃଶ କାର୍ଯ୍ୟ ଓ ମାନବିକତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସାଧାରଣରେ ଏହାକୁ ପ୍ରଶଂସା କରାଯାଇଛି।